Spread the love

### ମହିଳା SHGଙ୍କ ହାତରେ ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ରର ପରିଚାଳନା; ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଲେ ସଦସ୍ୟା

୨୫ଟି ଜିଲ୍ଲାରେ ୨୫ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି କେନ୍ଦ୍ର; ଯାତ୍ରୀଙ୍କୁ ମାଗଣାରେ ମିଳିବ ଶୌଚାଳୟ, ପାନୀୟ ଜଳ ଓ ବିଶ୍ରାମ ସୁବିଧା

ଭୁବନେଶ୍ୱର, ୧୨।୧୧: ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୨୫ଟି ଜିଲ୍ଲାରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ବିକଶିତ ୬୮ଟି ‘ୱେ-ସାଇଡ୍ ଆମେନିଟି ସେଣ୍ଟର’ ବା ପଥପାର୍ଶ୍ୱ ସୁବିଧା କେନ୍ଦ୍ରର ପରିଚାଳନାରେ ମହିଳା SHG ସଦସ୍ୟାମାନଙ୍କୁ ସାମିଲ କରାଯାଇଛି।

ଏହି କେନ୍ଦ୍ରଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଲୋଚନା କରି ସେମାନଙ୍କ ଅନୁଭୂତି ଓ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ମହିଳା ଉଦ୍ୟୋଗୀଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ।

ଆଲୋଚନା ସମୟରେ କେନ୍ଦ୍ରଗୁଡ଼ିକରେ ଖାଦ୍ୟ ଓ ଜଳଖିଆ ପ୍ରସ୍ତୁତି ତଥା ପରିବେଷଣ କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଅବଗତ ହୋଇଥିଲେ। ପର୍ଯ୍ୟଟକଙ୍କୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରିବା ସହ ସ୍ଥାନୀୟ ଓ ସ୍ୱଦେଶୀ ଉତ୍ପାଦର ପ୍ରଚାର ଏବଂ ଉତ୍ତମ ଆତିଥ୍ୟ ପ୍ରଦାନ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି କେନ୍ଦ୍ରଗୁଡ଼ିକ କେବଳ ଯାତ୍ରୀଙ୍କ ବିଶ୍ରାମସ୍ଥଳୀ ନୁହେଁ, ବରଂ ଓଡ଼ିଶାର ଖାଦ୍ୟ ପରମ୍ପରା ଓ ସ୍ଥାନୀୟ ଉତ୍ପାଦକୁ ପରିଚିତ କରାଇବା ସହ ମହିଳାଙ୍କ ପାଇଁ ଆୟର ନୂଆ ମାଧ୍ୟମ ହେବା ଉଚିତ ବୋଲି ସେ ମତ ଦେଇଥିଲେ। ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ଶକ୍ତି ମିଳିବ ବୋଲି ଆଶା ପ୍ରକାଶ କରାଯାଇଛି।

ଯାତ୍ରୀଙ୍କ ପାଇଁ ରହିଛି ମାଗଣା ସୁବିଧା

ରାଜ୍ୟର ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ରରେ ଯାତ୍ରୀମାନଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ବିଶ୍ରାମସ୍ଥଳୀ ଭଳି ମୌଳିକ ସୁବିଧା ମାଗଣାରେ ଉପଲବ୍ଧ ରହିଛି। କେନ୍ଦ୍ରରେ ମହିଳା SHG ପକ୍ଷରୁ ବିକ୍ରି କରାଯାଉଥିବା ଖାଦ୍ୟ ଓ ପାନୀୟ ପାଇଁ ମାତ୍ର ଗ୍ରାହକଙ୍କୁ ମୂଲ୍ୟ ଦେବାକୁ ପଡ଼ିବ।

ଯାତ୍ରୀଙ୍କ ସୁରକ୍ଷା ଓ ନିରବଚ୍ଛିନ୍ନ ସେବା ପାଇଁ ସମସ୍ତ କେନ୍ଦ୍ରରେ CCTV ନଜରଦାରୀ ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଲେ ବିକଳ୍ପ ବ୍ୟବସ୍ଥା ଭାବେ ଡିଜି ସେଟ୍ ଓ ଇନଭର୍ଟର ମଧ୍ୟ ରଖାଯାଇଛି।

୬୮ଟି କେନ୍ଦ୍ରରେ ୫୪୪ କର୍ମଚାରୀ ନିୟୋଜିତ

କେନ୍ଦ୍ରଗୁଡ଼ିକର ସୁପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ CFMS ଏଜେନ୍ସି ମାଧ୍ୟମରେ ପ୍ରତ୍ୟେକ କେନ୍ଦ୍ରରେ ୮ ଜଣ ଲେଖାଏଁ ଚୁକ୍ତିଭିତ୍ତିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ହିସାବରେ ମୋଟ ୫୪୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ୨୦୪ ଜଣ ସୁରକ୍ଷା କର୍ମୀ, ୨୭୨ ଜଣ ପରିମଳ କର୍ମଚାରୀ ଏବଂ ୬୮ ଜଣ ରକ୍ଷଣାବେକ୍ଷଣ କର୍ମଚାରୀ ରହିଛନ୍ତି।

ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ୬୮ଟି କେନ୍ଦ୍ରର ମରାମତି, ପୁନରୁଦ୍ଧାର ଓ ଆଧୁନିକୀକରଣ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟରେ ଯାତ୍ରୀଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ ଓ ଆରାମଦାୟକ ଯାତ୍ରା ପରିବେଶ ସୃଷ୍ଟି କରିବା ସହ ମହିଳା SHGଙ୍କ ଉଦ୍ୟୋଗିତା ଓ ଆର୍ଥିକ ସ୍ୱାବଲମ୍ବନକୁ ଆଗକୁ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *

You missed