ଆଜି ଜୟଦେବ ଭବନରେ ‘ଜାତୀୟ ପ୍ରେସ୍ ଦିବସ‘
• ୩୨ ବରିଷ୍ଠ ସାମ୍ବାଦିକଙ୍କୁ ମିଳିବ ପେନସନ୍
• ଯୋଗଦେବେ ରାଜ୍ୟପାଳ, ବାଚସ୍ପତି ଓ ଏକାଧିକ ମନ୍ତ୍ରୀ
ଭୁବନେଶ୍ୱର, ୧୬/୧୧ (ନି.ପ୍ର): ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ (NJWB) ଏବଂ ପିଆଇବି, ସିବିସି, ଆକାଶବାଣୀ, ଦୂରଦର୍ଶନ ଓ AMITର ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ‘ଜାତୀୟ ପ୍ରେସ୍ ଦିବସ-୨୦୨୬’ ପାଳିତ ହେବ। ଅପରାହ୍ନ ୩ଟାରେ ‘ସାମ୍ବାଦିକତା – ଲୋକପ୍ରିୟ ନା ଦାୟିତ୍ୱବୋଧ?’ ଶୀର୍ଷକ ଆଲୋଚନାଚକ୍ରରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରବି ନାରାୟଣ ନାୟକ, ସମ୍ପଦ ସ୍ୱାଇଁ, ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା ଓ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ ପ୍ରମୁଖ ଯୋଗଦେବେ।
ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ଉତ୍ସବରେ ରାଜ୍ୟପାଳ ବ୍ରଜ ମୋହନ ରାମ ମୁଖ୍ୟ ଅତିଥି, ମନ୍ତ୍ରୀ ସୁରେଶ ପୂଜାରୀ ଓ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟ ବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଜ୍ୟର ୩୨ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ସହ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସାମ୍ବାଦିକତା ସମ୍ମାନ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ମାରକୀ ସିଲ୍ଡ ପ୍ରଦାନ କରାଯିବ। ସନ୍ଧ୍ୟା ୭ଟା ୩୦ରେ ବାଚସ୍ପତି ସୁରମା ପାଢ଼ୀ ଉଦଯାପନୀ ଉତ୍ସବରେ ଯୋଗଦେବେ।
