Spread the love

### ଆଠ ଦଫା ଦାବିରେ ହିଙ୍ଗୁଳା ବଳରାମ ମାଇନ୍ସ ଘେରାଉ, ହିଙ୍ଗୁଳା ହାଇସ୍କୁଲ ସ୍ଥାନାନ୍ତରକୁ ତୀବ୍ର ବିରୋଧ

ତାଳଚେର, ୧୬/୧୧: ଆଠ ଦଫା ଦାବି ନେଇ ତାଳଚେର ବ୍ଲକ୍ ଅନ୍ତର୍ଗତ ହିଙ୍ଗୁଳା ବଳରାମ ମାଇନ୍ସ ଘେରାଉ କରିଛନ୍ତି କଳମଛୁଇଁ ମଝିକା ସମେତ ବିଭିନ୍ନ ଗ୍ରାମର ଶତାଧିକ ଗ୍ରାମବାସୀ। ଏହି ଆନ୍ଦୋଳନରେ ଗ୍ରାମବାସୀଙ୍କ ସହ ବୁଦ୍ଧିଜୀବୀ, ଗ୍ରାମ କମିଟିର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ନିଜର ଦାବି ଉପସ୍ଥାପନ କରିଛନ୍ତି।

ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ହେଉଛି ଦୀର୍ଘ ବର୍ଷର ଐତିହ୍ୟ ବହନ କରୁଥିବା ହିଙ୍ଗୁଳା ହାଇସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର ନକରିବା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ବିଦ୍ୟାଳୟ ପ୍ରତିଷ୍ଠା ପଛରେ ରହିଛି ଅଞ୍ଚଳବାସୀଙ୍କ ଦୀର୍ଘଦିନର ସଂଘର୍ଷ ଓ ତ୍ୟାଗ। ଗ୍ରାମବାସୀମାନେ ନିଜର ଅନେକ କଷ୍ଟ ଓ ଉଦ୍ୟମରେ ବିଦ୍ୟାଳୟ ନିର୍ମାଣ କରିଥିଲେ। ଏପରିକି ପ୍ରାରମ୍ଭିକ ସମୟରେ ଶିକ୍ଷକମାନେ ବିନା ଦରମାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ଏହି ଅନୁଷ୍ଠାନକୁ ଆଗକୁ ବଢ଼ାଇଥିଲେ।

ଏଭଳି ଏକ ଐତିହାସିକ ଶିକ୍ଷାନୁଷ୍ଠାନକୁ ହିଙ୍ଗୁଳା ମାଇନ୍ସ କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ଅସ୍ତିତ୍ୱ ଓ ଅଞ୍ଚଳର ଶିକ୍ଷାଗତ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ସ୍ଥାନାନ୍ତର ପ୍ରସ୍ତାବକୁ ତୁରନ୍ତ ବାତିଲ କରିବାକୁ ସେମାନେ ଦାବି କରିଛନ୍ତି।

ଏହି ଆନ୍ଦୋଳନରେ ଗ୍ରାମ କମିଟିର ସଭାପତି ଚନ୍ଦ୍ରମଣି ପ୍ରଧାନ, ସମ୍ପାଦକ ସୁବ୍ରତ କୁମାର ପ୍ରଧାନ, ଉପସମ୍ପାଦକ ରାଉତ୍ରା ସାହୁଙ୍କ ସମେତ ବହୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଠ ଦଫା ଦାବି ସପକ୍ଷରେ ମତ ରଖିଥିଲେ।

ଆନ୍ଦୋଳନରେ ସାମିଲ ବୁଦ୍ଧିଜୀବୀମାନେ ଚେତାବନୀ ଦେଇ କହିଛନ୍ତି ଯେ, ଗ୍ରାମବାସୀଙ୍କ ନ୍ୟାୟୋଚିତ ଦାବିଗୁଡ଼ିକୁ ଯଦି ତୁରନ୍ତ ପୂରଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଆବଶ୍ୟକ ପଡ଼ିଲେ ହିଙ୍ଗୁଳା ମାଇନ୍ସର କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବା ଭଳି କଠୋର ପଦକ୍ଷେପ ନିଆଯିବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

ହିଙ୍ଗୁଳା ହାଇସ୍କୁଲର ସୁରକ୍ଷା ଓ ଆଠ ଦଫା ଦାବି ପୂରଣକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

ତାଳଚେରରୁ ସନାତନ କରଙ୍କ ରିପୋର୍ଟ।

ଜାଗ୍ରତ ଭାରତ ନ୍ୟୁଜ୍।

 

Leave a Reply

Your email address will not be published. Required fields are marked *

You missed