ସମ୍ଭାବ୍ୟ ବାତ୍ୟା ‘ଅକବାନ’ ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ
୧,୨୧,୫୯୭ ଜଣଙ୍କ ସ୍ଥାନାନ୍ତର ପାଇଁ ଯୋଜନା, ୨,୭୩୦ ଜଣ ସୁରକ୍ଷିତ ଆଶ୍ରୟସ୍ଥଳୀରେ
ତିନିଦିନ ପାଇଁ ଖାଦ୍ୟ, ପାଣି, ଔଷଧ ଓ ଜରୁରୀ କାଗଜପତ୍ର ରଖିବାକୁ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ
ଛତ୍ରପୁର, ୧୭/୧୧: ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ଧନଜୀବନ ସୁରକ୍ଷା, ଜଳ ନିଷ୍କାସନ, ଆଗୁଆ ସ୍ଥାନାନ୍ତର, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ସାମଗ୍ରୀ ଯୋଗାଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି।
ଆସନ୍ତା ୧୮ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଏବଂ ୧୯ ଓ ୨୦ ତାରିଖ ପାଇଁ କମଳା ସତର୍କ ସୂଚନା ଜାରି ହୋଇଥିବାରୁ ପ୍ରଶାସନ ପାଣିପାଗର ପ୍ରତ୍ୟେକ ପରିବର୍ତ୍ତନ ଉପରେ ନଜର ରଖିଛି। ଏ ନେଇ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗଣମାଧ୍ୟମକୁ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ଅବସରରେ ଉଲ୍ଲେଖ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାର ଭୂସ୍ଖଳନ ପ୍ରବଣ ଓ ବିପଦସଙ୍କୁଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି। ବିଶେଷକରି ଧରାକୋଟ, ଭଞ୍ଜନଗର, ଆସିକା ଓ ପାତ୍ରପୁର ଅଞ୍ଚଳର ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସ୍ଥାନୀୟ ଲୋକମାନେ ପ୍ରଶାସନର ନିର୍ଦ୍ଦେଶ ମାନି ସ୍ଥାନାନ୍ତର ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ଜିଲ୍ଲାରେ ସମ୍ଭାବ୍ୟ ସ୍ଥାନାନ୍ତର ପାଇଁ ୧,୨୧,୫୯୭ ଜଣଙ୍କୁ ଚିହ୍ନଟ କରାଯାଇ ୧,୧୩୯ଟି ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୬୪ଟି ଆଶ୍ରୟସ୍ଥଳୀରେ ୨,୭୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି।
ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଟିମ୍, ୩ଟି ଏନ୍ଡିଆର୍ଏଫ୍ ୟୁନିଟ୍ ଓ ୨୪ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଉଛି। ଏଥିସହ ୧୩ଟି ମେଡିକାଲ ରେସପନ୍ସ ଟିମ୍ ଓ ୨୩ଟି ପ୍ରାଣୀ ଚିକିତ୍ସା ତ୍ୱରିତ ପ୍ରତିକ୍ରିୟା ଦଳ ନିରନ୍ତର କାର୍ଯ୍ୟ କରୁଛନ୍ତି।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧,୭୭୭ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କର ପ୍ରସବ ସମୟ ଆସନ୍ତା ୧୫ ଦିନ ମଧ୍ୟରେ ରହିଛି। ସେମାନଙ୍କ ମଧ୍ୟରୁ ୭୧୧ ଜଣ ଉଚ୍ଚ ବିପଦସଙ୍କୁଳ ଗର୍ଭବତୀଙ୍କୁ ମା’ ଗୃହ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୦୨ ଜଣ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ହୋଇଛି। ଏହା ସହ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ମଧ୍ୟ ବ୍ଲକ୍ସ୍ତରରେ ତ୍ୱରିତ ଚିକିତ୍ସା ଦଳ କାର୍ଯ୍ୟ କରୁଛନ୍ତି।
ବ୍ରହ୍ମପୁର ସହରରେ ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ବିଏମ୍ସି ପକ୍ଷରୁ ପ୍ରାୟ ସମସ୍ତ ୱାର୍ଡରେ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଉଛି। ସହରର ବିଭିନ୍ନ ଡ୍ରେନ୍ ଓ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇବା କାର୍ଯ୍ୟ ଚାଲିଛି। ଆବଶ୍ୟକ ପଡ଼ିଲେ ବିଏମ୍ସି ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ।
ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ରଖିବା ପାଇଁ ଆର୍ଡବ୍ଲ୍ୟୁଏସ୍ଏସ୍, ୱାଟ୍କୋ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ପ୍ରମୁଖ ନଦୀ, ଜଳଭଣ୍ଡାର ଓ ଡ୍ୟାମ୍ର ଜଳସ୍ତର ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ବର୍ତ୍ତମାନ ସମସ୍ତ ନଦୀ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଜଳଭଣ୍ଡାରଗୁଡ଼ିକରୁ ଆବଶ୍ୟକ ଜଳ ନିଷ୍କାସନ କରାଯାଇ ଜଳଧାରଣ କ୍ଷମତାର ପ୍ରାୟ ୬୦ ପ୍ରତିଶତ ବା କିଛି ସ୍ଥାନରେ ତାଠାରୁ କିଛି ଅଧିକ ଜଳ ରଖାଯାଇଛି। ପରିସ୍ଥିତିକୁ ଦେଖି ଆବଶ୍ୟକ ହେଲେ ଆହୁରି ଜଳ ନିଷ୍କାସନ କରାଯିବ।
ସାମୁଦ୍ରିକ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ଉପରେ କଟକଣା ଜାରି ରହିଛି। ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି। ଜିଲ୍ଲାରେ ମୋଟ ୧,୫୭୮ଟି ପଞ୍ଜିକୃତ ଡଙ୍ଗା ଚିହ୍ନଟ ହୋଇଛି। ସମୁଦ୍ର ଉପକୂଳରେ ପୁଲିସ, ମତ୍ସ୍ୟ ବିଭାଗ ଓ ତହସିଲ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି।
ଆସନ୍ତା ତିନିଦିନ ଅର୍ଥାତ୍ ୧୮, ୧୯ ଓ ୨୦ ନଭେମ୍ବର ପର୍ଯ୍ୟନ୍ତ ଗୋପାଳପୁର, ସୁନାପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇନଥିଲେ ମଧ୍ୟ ପଡ଼ୋଶୀ ଗଜପତି ଓ କନ୍ଧମାଳ ଜିଲ୍ଲାର ବର୍ଷା ପରିସ୍ଥିତି ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି। ଜିଲ୍ଲାବାସୀଙ୍କୁ ଆସନ୍ତା ତିନିଦିନ ପାଇଁ ଯଥେଷ୍ଟ ପାନୀୟ ଜଳ, ଶୁଖିଲା ଖାଦ୍ୟ, ଆବଶ୍ୟକ ଔଷଧ ଓ ଜରୁରୀ କାଗଜପତ୍ର ସୁରକ୍ଷିତ ରଖିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସ୍କୁଲ ଓ କଲେଜ ଛୁଟି ସମ୍ପର୍କରେ ପାଣିପାଗ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।
ଜିଲ୍ଲାର ସମସ୍ତ ବ୍ଲକ୍, ତହସିଲ ଓ ସହରାଞ୍ଚଳରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ରର ଯୋଗାଯୋଗ ନମ୍ବର ୦୬୮୧୧-୨୬୩୯୭୮।
ଜିଲ୍ଲାରେ ୨୬୦ କୁଇଣ୍ଟାଲରୁ ଅଧିକ ଚୁଡ଼ା, ପର୍ଯ୍ୟାପ୍ତ ପରିମାଣର ଗୁଡ଼ ଏବଂ ୨ ଲକ୍ଷ ୧୦ ହଜାରରୁ ଅଧିକ ପାଣି ବୋତଲ ମହଜୁଦ ରଖାଯାଇଛି। ଆଶ୍ରୟସ୍ଥଳୀ ଓ ପ୍ରଭାବିତ ଅଞ୍ଚଳରେ ଏହି ସାମଗ୍ରୀ ଯୋଗାଇ ଦିଆଯାଉଛି ।
ଜିଲ୍ଲାବାସୀ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
