Spread the love

### ବାତ୍ୟା ‘ଅକଭାନ୍’କୁ ନେଇ ଓଡ଼ିଶାରେ ଜୋରଦାର ପ୍ରସ୍ତୁତି: ୭୪ଟି ଉଦ୍ଧାରକାରୀ ଟିମ୍ ମୁତୟନ ପାଇଁ ଯୋଜନା

୮ ଜିଲ୍ଲାର ୮୭ଟି ବ୍ଲକ୍‌ର ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ; ୧୭ଟି ସାଟେଲାଇଟ୍ ଫୋନ୍ ଯୋଗାଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍‌’ର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆଗୁଆ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବର୍ଷା, ଭୂସ୍ଖଳନ ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କାକୁ ନଜରରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ନଭେମ୍ବର ୧୯ରୁ ୨୨ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

### ୩ ଦିନ ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ପ୍ରାପ୍ତ ସୂଚନା ଅନୁଯାୟୀ, ନଭେମ୍ବର ୧୯ରୁ ୨୦ ତାରିଖ ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ସେହିପରି ନଭେମ୍ବର ୨୦ରୁ ୨୧ ତାରିଖ ମଧ୍ୟରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।

ନଭେମ୍ବର ୨୧ରୁ ୨୨ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

### ୮ ଜିଲ୍ଲାରେ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ

ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବିପଦକୁ ଆକଳନ କରି ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଭଳି ୮ଟି ଜିଲ୍ଲାରେ ୮୭ଟି ସମ୍ବେଦନଶୀଳ ବ୍ଲକ୍ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ମୋଟ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନକୁ ବିପଦପ୍ରବଣ ଭାବେ ଚିହ୍ନଟ କରାଯାଇଛି।

ବିପର୍ଯ୍ୟୟ ସମୟରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ମୋଟ ୭୪ଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି। ଏଥିରେ ୬୦ଟି ଓଡ୍ରାଫ୍ ଏବଂ ୧୪ଟି ଏନଡିଆରଏଫ୍ ଟିମ୍ ରହିଛି। ସେଥିମଧ୍ୟରୁ ୪୨ଟି ଓଡ୍ରାଫ୍ ଓ ୧୧ଟି ଏନଡିଆରଏଫ୍ ଟିମ୍‌କୁ ବିଭିନ୍ନ ଜିଲ୍ଲାରେ ମୁତୟନ କରିବାକୁ ଯୋଜନା ହୋଇଥିବାବେଳେ ଅବଶିଷ୍ଟ ୧୮ଟି ଓଡ୍ରାଫ୍ ଓ ୩ଟି ଏନଡିଆରଏଫ୍ ଟିମ୍‌କୁ ସଂରକ୍ଷିତ ରଖାଯାଇଛି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ଟି ଏବଂ ଗଜପତି ଜିଲ୍ଲାରେ ୭ଟି ଉଦ୍ଧାରକାରୀ ଟିମ୍ ମୁତୟନ ପାଇଁ ଯୋଜନା ରହିଛି। ଏହାବ୍ୟତୀତ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଉଦ୍ଧାରକାରୀ ଟିମ୍ ମୁତୟନ କରାଯିବ।

### ଭୂସ୍ଖଳନପ୍ରବଣ ଅଞ୍ଚଳର ହେବ ସାଟେଲାଇଟ୍ ସର୍ଭେ

ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଭୂସ୍ଖଳନପ୍ରବଣ ଗ୍ରାମ ଓ ରାସ୍ତାଗୁଡ଼ିକର ସାଟେଲାଇଟ୍ ଚିତ୍ର ସହ ଜିଆଇଏସ୍ ଆଧାରିତ ମାନଚିତ୍ର ତୁରନ୍ତ ପ୍ରସ୍ତୁତ କରିବାକୁ ଓରସାକ୍‌କୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ବିପଦପ୍ରବଣ ସ୍ଥାନଗୁଡ଼ିକୁ ଆଗୁଆ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ।

### ଟେଲିକମ୍ ସେବା ଓ ସାଟେଲାଇଟ୍ ଫୋନ୍ ଉପରେ ଗୁରୁତ୍ୱ

ବାତ୍ୟା ସମୟରେ ଯୋଗାଯୋଗ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ‘ସେଲ୍-ଅନ୍-ହ୍ୱିଲ୍ସ’ ମୋବାଇଲ୍ ଟେଲିକମ୍ ୟୁନିଟ୍ ମୁତୟନ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗକୁ କୁହାଯାଇଛି। ଏହା ସହ ବ୍ୟାକଅପ୍ ପାୱାର ବ୍ୟବସ୍ଥା ଓ ୨୪ ଘଣ୍ଟିଆ ସେବା ତଦାରଖ ଉପରେ ଗୁରୁତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲା ପାଇଁ ୧୦ଟି ଓ ଗଜପତି ଜିଲ୍ଲା ପାଇଁ ୭ଟି, ଏହିପରି ମୋଟ ୧୭ଟି ସାଟେଲାଇଟ୍ ଫୋନ୍ ତୁରନ୍ତ ଯୋଗାଇ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

### ତଟରକ୍ଷୀ ବାହିନୀ ଓ ରେଳବାଇକୁ ସତର୍କ ରହିବାକୁ ନିର୍ଦ୍ଦେଶ

ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱରସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଏୟାର ଏନକ୍ଲେଭ୍ ସମେତ ଗୋପାଳପୁର ଓ ପାରାଦୀପ ୟୁନିଟ୍‌କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବିମାନ, ଜାହାଜ, ଉଦ୍ଧାରକାରୀ ବୋଟ୍ ଓ କର୍ମଚାରୀମାନଙ୍କୁ ଆବଶ୍ୟକ ସ୍ଥିତିରେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ ରଖିବା ସହ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ସତର୍କ କରିବାକୁ ନିର୍ଦ୍ଦେଶ ରହିଛି।

ସେହିପରି ସମ୍ବେଦନଶୀଳ ରେଳ ଧାରଣା, ପୋଲ ଓ ଷ୍ଟେସନଗୁଡ଼ିକର ଯାଞ୍ଚ କରିବାକୁ ରେଳ ସମନ୍ୱୟ ସେଲ୍‌କୁ କୁହାଯାଇଛି। ପରିସ୍ଥିତି ଅନୁଯାୟୀ ଟ୍ରେନ୍ ଚଳାଚଳ ନିୟନ୍ତ୍ରଣ କିମ୍ବା ବାତିଲ୍ କରିବା ଏବଂ ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ରେଳବାଇ ସହ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

### ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତି ରିପୋର୍ଟ ଦାଖଲ ନିର୍ଦ୍ଦେଶ

ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ‘ଜିଲ୍ଲା ବାତ୍ୟା ଓ ବନ୍ୟା ପ୍ରସ୍ତୁତି ଚେକଲିଷ୍ଟ’ ଦାଖଲ କରିବାକୁ କୁହାଯାଇଛି। ଏଥିରେ ନିୟନ୍ତ୍ରଣ କକ୍ଷ ପରିଚାଳନା, ବିପଦ ମାନଚିତ୍ର, ସ୍ଥାନାନ୍ତର ମାର୍ଗ, ଆଶ୍ରୟସ୍ଥଳୀର ପ୍ରସ୍ତୁତି, ଉଦ୍ଧାର ଉପକରଣ ଓ ଅତ୍ୟାବଶ୍ୟକ ସେବାର ଉପଲବ୍ଧତା ସମ୍ପର୍କିତ ତଥ୍ୟ ରହିବ।

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ଏହି ଆଗୁଆ ପ୍ରସ୍ତୁତି ଜାରି ରହିଥିବାବେଳେ ଜନସାଧାରଣଙ୍କୁ ପାଣିପାଗ ବିଭାଗ ଓ ସରକାରୀ ସଂସ୍ଥା ପକ୍ଷରୁ ଜାରି ହେଉଥିବା ସତର୍କ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି।

 

Leave a Reply

Your email address will not be published. Required fields are marked *

You missed