### ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି, ବେଲଗଡ଼ା ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର
ଗଞ୍ଜାମ: ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ସାନଖେମୁଣ୍ଡି ବ୍ଲକ୍ର ଟି. ଗୋବିନ୍ଦପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସ୍ଥିତି ଯାଞ୍ଚ କରିଥିଲେ।
ଏହାପରେ ସେ ଭୂସ୍ଖଳନ ଆଶଙ୍କା ଥିବା ବେଲଗଡ଼ା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ଦୃଷ୍ଟିରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ।
ପ୍ରଶାସନ ପକ୍ଷରୁ ଆବଶ୍ୟକ ଯାନବାହନ ବ୍ୟବସ୍ଥା କରାଯାଇ ବେଲଗଡ଼ା ଗ୍ରାମବାସୀଙ୍କୁ ଟି. ଗୋବିନ୍ଦପୁରସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସମ୍ଭାବ୍ୟ ବାତ୍ୟା ଓ ଭୂସ୍ଖଳନ ଜନିତ ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ସୁରକ୍ଷା ପଦକ୍ଷେପ ଜାରି ରହିଛି।
