### ନଭେମ୍ବର ୩୦ରେ ଅବସର ନେବେ ଓଡ଼ିଶା ଡିଜିପି ବିନୟତୋଷ ମିଶ୍ର, ପରବର୍ତ୍ତୀ ଡିଜିପି କିଏ?
ଭୁବନେଶ୍ୱର, ୨୦/୧୧: ଓଡ଼ିଶା ପୁଲିସର ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଆସନ୍ତା ନଭେମ୍ବର ୩୦ ତାରିଖରେ ସରକାରୀ ସେବାରୁ ଅବସର ଗ୍ରହଣ କରିବେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।
ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ (CID-CB) ଡିଜି ବିନୟତୋଷ ମିଶ୍ର ୬୦ ବର୍ଷ ବୟସ ପୂରଣ କରିବା ପରେ ନଭେମ୍ବର ୩୦ ତାରିଖ ଅପରାହ୍ଣରୁ ଅବସର ନେବେ। ତାଙ୍କର ଜନ୍ମ ତାରିଖ ୩ ନଭେମ୍ବର ୧୯୬୬।
ସୂଚନାଯୋଗ୍ୟ, ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ୨୦୨୬ ଅଗଷ୍ଟ ୧୬ ତାରିଖରେ ବିନୟତୋଷ ମିଶ୍ର ଓଡ଼ିଶା ପୁଲିସର ସର୍ବୋଚ୍ଚ ପଦବୀର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ନିୟମିତ ଡିଜିପି ନିଯୁକ୍ତି ପ୍ରକ୍ରିୟା ଚାଲିଥିବାରୁ ରାଜ୍ୟ ସରକାର ପୁଲିସ ପ୍ରଶାସନରେ କାର୍ଯ୍ୟର ନିରନ୍ତରତା ବଜାୟ ରଖିବା ଉଦ୍ଦେଶ୍ୟରେ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦେଇଥିଲେ।
ଅନ୍ୟପକ୍ଷରେ, ନିୟମିତ ଡିଜିପି ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ୟୁପିଏସ୍ସିକୁ ପଠାଯାଇଥିବା ଅଧିକାରୀଙ୍କ ପ୍ୟାନେଲ୍ ଏବଂ ପ୍ରକାଶ ସିଂହ ଗାଇଡଲାଇନ୍ର ଅନୁପାଳନ ଭଳି ପ୍ରସଙ୍ଗ ଉପରେ ବିଚାର ଚାଲିଛି।
ବିନୟତୋଷ ମିଶ୍ରଙ୍କ ଅବସର ତାରିଖ ପାଖେଇ ଆସୁଥିବାରୁ ଏବେ ଓଡ଼ିଶାର ପରବର୍ତ୍ତୀ ଡିଜିପି କିଏ ହେବେ, ତାକୁ ନେଇ ପୁଲିସ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।
