Spread the love

ଛାଡ଼ଖାଇରେ ଆମିଷ ବଜାରରେ ପ୍ରବଳ ଭିଡ଼ | ମାଛ, ମାଂସ କିଣିବାକୁ ଗ୍ରାହକଙ୍କ ଲମ୍ବା ଲାଇନ୍

ପବିତ୍ର କାର୍ତ୍ତିକ ମାସର ଧର୍ମୀୟ ନିୟମ ଓ ସଂଯମ ପରେ ଆଜି ଛାଡ଼ଖାଇ। ମାସକର ଅପେକ୍ଷାର ଅନ୍ତ ଘଟିଛି। ଆମିଷପ୍ରିୟ ଓଡ଼ିଆଙ୍କ ମନରେ ଆଜି ଭରି ରହିଛି ଉତ୍ସାହ। କାହା ଘରେ ମଟନ୍ ତ ଆଉ କାହା ଘରେ ଚିକେନ୍, ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ସୁସ୍ୱାଦୁ ବ୍ୟଞ୍ଜନରେ ମହକିବ ରୋଷେଇ ଘର। ଏପଟେ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଜମିଲାଣି ଗ୍ରାହକଙ୍କ ଭିଡ଼। ନିଜ ପସନ୍ଦର ଆମିଷ କିଣିବାକୁ ଦୋକାନରେ ଲାଗିଛି ଗହଳି। ତେବେ ଆସନ୍ତୁ ଦେଖିବା, ଛାଡ଼ଖାଇରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଭଳି ରହିଛି ଆମିଷ ବଜାରର ଚିତ୍ର।

ଓଡ଼ିଆ ପରମ୍ପରାରେ ଛାଡ଼ଖାଇର ରହିଛି ଏକ ସ୍ୱତନ୍ତ୍ର ମହତ୍ତ୍ୱ। ପବିତ୍ର କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ତ୍ୟାଗ କରି ଧର୍ମକର୍ମ ଓ ପୂଜାପାଠରେ ସମୟ ବିତାଇଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପରେ ଛାଡ଼ଖାଇରେ ପୁଣିଥରେ ଆମିଷ ଖାଇବାର ପରମ୍ପରା ରହିଆସିଛି।

ଆଉ ଏହି ପରମ୍ପରାକୁ ନେଇ ଆଜି ଚଳଚଞ୍ଚଳ ହୋଇଉଠିଛି ଆମିଷ ବଜାର। ମାଛ, ଚିକେନ୍ ଓ ମଟନ୍ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। କେହି ନିଜ ପରିବାର ପାଇଁ ତ ଆଉ କେହି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଭୋଜିଭାତର ଆୟୋଜନ ପାଇଁ କିଣାକିଣିରେ ବ୍ୟସ୍ତ। ରୋହି ମାଛ ୨୦୦ ଭାକୁର ୩୦୦ ଚାନ୍ଦୀ ୨୦୦ ପୋହଳା ୨୦୦ ଚିଙ୍ଗୁଡ଼ି ୨୦୦ ରୁ ୬୦୦ ଚିକେନ ୨୦୦ ମଟନ୍ ୮୫୦ ଟଙ୍କା ରହିଛି

କେବଳ ଘରେ ନୁହେଁ, ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ଆମିଷପ୍ରିୟଙ୍କ ଭିଡ଼ ଜମିବାର ଆଶା ରହିଛି। ଏହି ଦିନକୁ ନେଇ ଭଲ ବ୍ୟବସାୟ ହେବ ବୋଲି ଆଶା ବାନ୍ଧିଛନ୍ତି ଆମିଷ ବ୍ୟବସାୟୀ।

ମାସକର ଅପେକ୍ଷା ପରେ ଆମିଷ ଭୋଜି, ହସଖୁସି ଓ ଉତ୍ସାହରେ କଟୁଛି ଆମିଷପ୍ରିୟ ଓଡ଼ିଆଙ୍କ ଛାଡ଼ଖାଇ।

Leave a Reply

Your email address will not be published. Required fields are marked *