Spread the love

ଛଅ ବର୍ଷ ହେଲା ଅଧାପନ୍ତରିଆ ଅଙ୍ଗନବାଡ଼ି କେନ୍ଦ୍ର : ଝାଟିମାଟି ଘରେ ଭବିଷ୍ୟତ ଗଢ଼ୁଛନ୍ତି କୁନିକୁନି ଶିଶୁ

ବାଲିଗୁଡ଼ା: ୨୬/୧୧ :(ସୁଶୀଳ କୁମାର ପାଣିଗ୍ରାହୀ): କେଉଁଠି ଗଛମୂଳେ ତ ଆଉ କେଉଁଠି ଲୋକଙ୍କ ଘର ପିଣ୍ଡାରେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର। ଆଉ କେଉଁଠି ଝାଟିମାଟି ଘରେ ପାଠ ପଢ଼ୁଛନ୍ତି କୁନିକୁନି ଶିଶୁ। ସରକାର ଶିଶୁଙ୍କ ଶିକ୍ଷା, ପୁଷ୍ଟି ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହାର ଚିତ୍ର କିନ୍ତୁ ଭିନ୍ନ। ଏଭଳି ଏକ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ସରୁକୁଇ ଗ୍ରାମରୁ। ସୂଚନା ଅନୁସାରେ, ସରୁକୁଇ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ଅର୍ଥ ମଞ୍ଜୁର ହୋଇଥିଲା। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆଜକୁ ପ୍ରାୟ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିନାହିଁ। କେବଳ ଭିତ୍ତିଭୂମି ନିର୍ମାଣ କରି ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଦୀର୍ଘ ବର୍ଷ ଧରି ଏହି ଅଧାଗଢ଼ା ଘରଟି ପ୍ରଶାସନିକ ଅବହେଳାର ନିରବ ସାକ୍ଷୀ ହୋଇ ରହିଛି l ଏପଟେ ନିଜସ୍ୱ ଅଙ୍ଗନବାଡ଼ି ଗୃହ ନଥିବାରୁ ଛୋଟ ଛୋଟ ପିଲାଙ୍କ ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ନାନା ସମସ୍ୟା ଦେଖାଦେଇଛି। ପ୍ରଥମେ ଗଛମୂଳେ ଓ ଗ୍ରାମବାସୀଙ୍କ ଘର ବାରଣ୍ଡାରେ କେନ୍ଦ୍ର ଚାଲୁଥିଲା। ଶିଶୁମାନଙ୍କ ଅସୁବିଧାକୁ ଦେଖି ଶେଷରେ ଗ୍ରାମବାସୀ ନିଜ ଉଦ୍ୟମରେ ଏକ ଝାଟିମାଟି ଘର ନିର୍ମାଣ କରିଛନ୍ତି। ବର୍ତ୍ତମାନ ସେହି ଅସ୍ଥାୟୀ ଘରେ ପିଲାଙ୍କୁ ଶିକ୍ଷାଦାନ କରାଯିବା ସହ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ଯେଉଁଠି ଶିଶୁଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ପରିବେଶ ରହିବା କଥା, ସେଠାରେ ଅତି ସାଧାରଣ ଝାଟିମାଟି ଘର ହିଁ ଏବେ ଏକମାତ୍ର ଭରସା ପାଲଟିଛି l ଅନ୍ୟପଟେ ସରୁକୁଇ ଗ୍ରାମର ଭୌଗୋଳିକ ସ୍ଥିତି ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାକୁ ଆହୁରି ବଢ଼ାଇଛି। କୁଟିକିଆ ପଞ୍ଚାୟତଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିଲେ ମଧ୍ୟ ପାହାଡ଼ ଉପରେ ଅବସ୍ଥିତ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ଉପଯୁକ୍ତ ରାସ୍ତା ସଂଯୋଗ ହୋଇପାରିନାହିଁ। ଫଳରେ ସରକାରୀ ଅଧିକାରୀଙ୍କ ଯାତାୟାତ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଏନେଇ ଅଙ୍ଗନବାଡ଼ି କର୍ମୀ କହିଛନ୍ତି ଯେ, କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ବାଧ୍ୟ ହୋଇ ଝାଟିମାଟି ଘରେ ପିଲାଙ୍କୁ ପାଠ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପଡ଼ୁଛି। ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇବା ସହ ପଞ୍ଚାୟତ ବୈଠକରେ ମଧ୍ୟ ବାରମ୍ବାର ଅଭିଯୋଗ କରାଯାଇଛି। ତଥାପି ଏଯାଏଁ କୌଣସି ସୁଫଳ ମିଳିନାହିଁ। ସେହିପରି କୁଟିକିଆ ସମିତି ସଭ୍ୟ ଦୟାନିଧି ମଳିକ କହିଛନ୍ତି ଯେ, ସେ ସରପଞ୍ଚ ଥିବା ସମୟରେ ସରୁକୁଇ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସରକାରୀ ଅର୍ଥ ମଧ୍ୟ ମଞ୍ଜୁର ହୋଇଥିଲା। କିନ୍ତୁ ବ୍ଲକ ପ୍ରଶାସନ ଓ ସହକାରୀ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିନଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଛଅ ବର୍ଷ ଧରି କେନ୍ଦ୍ରର ଘର କେବଳ ଭିତ୍ତିଭୂମିରେ ସୀମିତ ରହିଛି ଏବଂ ଶିଶୁମାନେ ଝାଟିମାଟି ଘରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ ସିଡିପିଓ ଇନ୍ଦିରା ପଣ୍ଡାଙ୍କୁ ପଚାରିବାରୁ ସେ ଏହି ଅଙ୍ଗନବାଡ଼ି କେନ୍ଦ୍ର ସମ୍ପର୍କରେ ଅବଗତ ନଥିବା କହିବା ସହ ସୁପରଭାଇଜରଙ୍କୁ ପଚାରି ବୁଝିବା ପରେ ତଥ୍ୟ ଦେବେ ବୋଲି କହିଛନ୍ତି। ତେବେ ଦୀର୍ଘ ଛଅ ବର୍ଷ ଧରି ଏକ ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ ହୋଇ ପଡ଼ିରହିବା ଏବଂ ଗ୍ରାମବାସୀ ନିଜ ଉଦ୍ୟମରେ ଝାଟିମାଟି ଘର ନିର୍ମାଣ କରି ପିଲାଙ୍କ ପାଠପଢ଼ା ଓ ରୋଷେଇ ବ୍ୟବସ୍ଥା କରିବା ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ମଞ୍ଜୁର ଅର୍ଥ କେଉଁଠି ଓ କିପରି ବିନିଯୋଗ ହେଲା, ନିର୍ମାଣ କାର୍ଯ୍ୟ କାହିଁକି ଅଟକି ରହିଛି ଏବଂ ଏଥିପାଇଁ ଦାୟୀ କିଏ, ତାହାର ତଦନ୍ତ କରିବା ସହ ତୁରନ୍ତ ଅଧାଗଢ଼ା ଅଙ୍ଗନବାଡ଼ି ଗୃହକୁ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଶ୍ନ ଉଠୁଛି, ଶିଶୁଙ୍କ ବିକାଶ ପାଇଁ ଆସୁଥିବା ଯୋଜନାର ସୁଫଳ ଯଦି ଏକ ପାହାଡ଼ିଆ ଗାଁର ପିଲାଙ୍କ ପାଖରେ ପହଞ୍ଚିପାରୁନାହିଁ, ତେବେ ଏହି ଅବହେଳା ପାଇଁ ଉତ୍ତରଦାୟୀ କିଏ?

Leave a Reply

Your email address will not be published. Required fields are marked *