Spread the love

ତେଙ୍ଗାନାନ୍ ଗ୍ରାମରେ ଓଡ଼ିଶା-ବାଲିର ସାଂସ୍କୃତିକ ସାମଞ୍ଜସ୍ୟ ଦେଖିଲେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

 

ଭୁବନେଶ୍ୱର

୨୬ ନଭେମ୍ବର, ୨୦୨୬

 

ଇଣ୍ଡୋନେସିଆର ବାଲି ଠାରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬’ ନିମନ୍ତେ ଇଣ୍ଡୋନେସିଆ ଗସ୍ତରେ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ କମିଶନର ତଥା ଶାସନ ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ ବାଲି ସ୍ଥିତ ତେଙ୍ଗାନାନ୍ ପେଗ୍ରିଙ୍ଗସିଙ୍ଗାନ ଗ୍ରାମ ପରିଦର୍ଶନ କରିଛନ୍ତି।

 

ଇଣ୍ଡୋନେସିଆର ଏହି ଗ୍ରାମରେ କଳିଙ୍ଗ ଓ ବାଲି ମଧ୍ୟରେ ରହିଥିବା ସାଂସ୍କୃତିକ ସାମଞ୍ଜସ୍ୟ ଦେଖିବାକୁ ମିଳିଛି।

 

ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଗସ୍ତ ସମୟରେ ତେଙ୍ଗାନାନ୍ ଗ୍ରାମର ପୂର୍ବତନ ପ୍ରଶାସନିକ ମୁଖ୍ୟ ଆଇ ନ୍ୟୋମାନ ସାଦ୍ରା ‘ବାଲି ଏବଂ ଭାରତ (ବିଶେଷକରି ତେଙ୍ଗାନାନ୍ ଏବଂ ଓଡ଼ିଶା) ମଧ୍ୟରେ ରହିଥିବା ସାଂସ୍କୃତିକ ସମ୍ପର୍କ’ ଉପରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜେନେଭା ଓ ଉଦୟାନା ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ରକ୍ତ ପରୀକ୍ଷଣର ଉଦାହରଣ ଦେଇ ତେଙ୍ଗାନାନ୍ ବାସିନ୍ଦା ଓ ଭାରତୀୟଙ୍କ ମଧ୍ୟରେ ରକ୍ତଗତ ସମ୍ପର୍କ ରହିଛି, ବୋଲି ଆଇ ନ୍ୟୋମାନ ସାଦ୍ରା ମତପ୍ରକାଶ କରିଥିଲେ।

 

ନିଜର ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ସୂରଜ ଓ ସଚିବ ଡ଼ା. ଉପାଧ୍ୟାୟ ତେଙ୍ଗାନାନ୍ ଗ୍ରାମର ସ୍ଥାନୀୟ ବୁଣାକାର ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିଥିଲେ। ଏଥିସହ ମନ୍ତ୍ରୀ ଶ୍ରୀ ସୂରଜ

ବାଲି ଓ ତେଙ୍ଗାନାନ୍‌ର ପାରମ୍ପରିକ ‘ଗେରିଙ୍ଗସିଙ୍ଗ୍’ ବୟନ କଳା ଦେଖିଥିଲେ, ଯାହାର ଓଡ଼ିଶାର ପ୍ରସିଦ୍ଧ ବାନ୍ଧ କଳା ଏବଂ ଅନ୍ୟାନ୍ୟ ଭାରତୀୟ ହସ୍ତତନ୍ତ ସହ ସାମଞ୍ଜସ୍ୟ ରହିଛି।

 

ଏହା ସହିତ ଓଡ଼ିଆ ମହିଳାମାନଙ୍କ ଶାଢ଼ୀ ସଦୃଶ ବାଲିର ‘କମ୍ବେନ ଗନ୍ତିହ’ ପୋଷାକ, ଓଡ଼ିଆ ଧୋତି ଭଳି ବାଲିର ‘ମୁଲୁକାୟୁ’ ପୋଷାକ ଏବଂ ଭାରତୀୟ ଗୁରୁକୁଳ ଭଳି ବାଲିର ‘ମେତେରୁନା ନ୍ୟୋମାନ’ ଆଶ୍ରମ ଆଦିକୁ ମଧ୍ୟ ମନ୍ତ୍ରୀ ଶ୍ରୀ ସୂରଜ ଦେଖିବା ସହ ଏହି ସମସ୍ତ ବିଷୟବସ୍ତୁ ଓଡ଼ିଶା ଓ ବାଲି ମଧ୍ୟରେ ରହିଥିବା ସାଂସ୍କୃତିକ ସାମଞ୍ଜସ୍ୟତାକୁ ସୂଚିତ କରୁଛି ବୋଲି ମତପ୍ରକାଶ କରିଥିଲେ।

 

ଏଥିସହ ଇଣ୍ଡୋନେସିଆ ବାଲିର ତେଙ୍ଗାନାନ୍ ଉତ୍ସବ ସମ୍ବନ୍ଧରେ ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ ମନ୍ତ୍ରୀ ଶ୍ରୀ ସୂରଜଙ୍କୁ ଅବଗତ କରାଇଥିଲେ ଯାହାର କେତେକାଂଶ ସାମଞ୍ଜସ୍ୟ ଓଡ଼ିଶାର ରଜ ପର୍ବ ସହ ରହଛି। ଉଭୟ ପର୍ବରେ ଦୋଳି ଖେଳ, ଝିଅମାନଙ୍କ ସାଜସଜ୍ଜା ଓଡ଼ିଶା ଓ ବାଲି ମଧ୍ୟରେ ରହିଥିବା ସାଂସ୍କୃତିକ ସମ୍ପର୍କର ପ୍ରମାଣ ପ୍ରଦାନ କରେ ବୋଲି ମତପ୍ରକାଶିତ ହୋଇଛି।

 

Leave a Reply

Your email address will not be published. Required fields are marked *