Spread the love

ବାଲ୍ୟବିବାହ ନିରାକରଣ, ସାଇବର ସୁରକ୍ଷା ଓ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ

ଭବାନୀପାଟଣା (ଜାଗ୍ରତ ଭାର)ଧର୍ମଗଡ଼ ଉପଖଣ୍ଡର ସବ୍‌-କଲେକ୍ଟର ତଥା ଆଇଏଏସ୍ ଅଧିକାରୀ ପ୍ରେକ୍ଷା ଅଗ୍ରୱାଲ ଆଜି ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଛିଲପା ଗ୍ରାମ ପରିଦର୍ଶନ କରି ଆଦ୍ୱିକା କିଶୋରୀ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ କିଶୋରୀମାନେ ସାମାଜିକ ମାନଚିତ୍ର, ବିଭିନ୍ନ କାର୍ଯ୍ୟକ୍ରମର ଫଟୋଚିତ୍ର ଓ ନିଜସ୍ୱ ଅନୁଭୂତି ମାଧ୍ୟମରେ ଗୋଷ୍ଠୀଗତ ପ୍ରୟାସ ଦ୍ୱାରା ଗ୍ରାମରେ ଆସିଥିବା ସକାରାତ୍ମକ ପରିବର୍ତ୍ତନର ଚିତ୍ର ଉପସ୍ଥାପନ କରିଥିଲେ।

ସବ୍‌-କଲେକ୍ଟର କିଶୋରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ସେମାନଙ୍କ ସ୍ୱପ୍ନ, ଆକାଂକ୍ଷା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ନିଜ ନିଜ ଗ୍ରାମରେ ପରିବର୍ତ୍ତନର ବାହକ ହେବା ସହ ବାଲ୍ୟବିବାହ ରୋକିବା, ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି, ଶିକ୍ଷାକୁ ପ୍ରାଥମିକତା ଦେବା ଏବଂ ଅନ୍ୟ କିଶୋର-କିଶୋରୀଙ୍କୁ ପ୍ରେରିତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏଥିସହ ଉପଖଣ୍ଡସ୍ତରରେ ଜାତୀୟ ଯୁବ ଦିବସ ପାଳନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ପରିଦର୍ଶନ ସମୟରେ ସେ ଗ୍ରାମର ପ୍ରବାସୀ ଶ୍ରମିକ ନିରୀକ୍ଷଣ ରେଜିଷ୍ଟର ଏବଂ ବିବାହ ସୂଚନା ଓ ନିରୀକ୍ଷଣ ରେଜିଷ୍ଟର ଯାଞ୍ଚ କରିଥିଲେ। ଏହି ରେଜିଷ୍ଟର ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମ୍ପୃକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ସହ ସମୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଏହି ଅବସରରେ ଶିଶୁ ସୁରକ୍ଷା, ସାଇବର ସୁରକ୍ଷା ଓ ସକାରାତ୍ମକ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚିଚିଆ ଗ୍ରାମର ଆଦ୍ୱିକା କିଶୋରୀ ଚାମ୍ପିୟନ୍ ସୁମି ସତନାମୀଙ୍କୁ ସବ୍‌-କଲେକ୍ଟର ପ୍ରେକ୍ଷା ଅଗ୍ରୱାଲ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ବିଶ୍ୱନାଥ ଦାସ, ଚିଲପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ଧର୍ମଗଡ଼ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ, ମହିଳା ପରିଦର୍ଶିକା ସତ୍ୟପ୍ରୀୟା ପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ କେଦାରନାଥ ନାୟେକ ଏବଂ ଏଡ୍ ଏଟ୍ ଆକ୍ସନର ବ୍ଲକ୍ ସଂଯୋଜିକା ବିନିତା ରାଉତ ଉପସ୍ଥିତ ଥିଲେ।

ସଭାର ପ୍ରାରମ୍ଭରେ ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷୀ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇବା ସହ ସଭାର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଶେଷରେ ଏଡ୍ ଏଟ୍ ଆକ୍ସନର ବ୍ଲକ୍ ସଂଯୋଜିକା ବିନିତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *