ଅଳିଆ ଗଦା ରେ ସ୍କୁଲ ପାଚେରୀ, ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ
ଭଟଲି : – ଭଟଲି ବସ୍ଷ୍ଟାଣ୍ଡ ନିକଟସ୍ଥ ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି କଡ଼ରେ ଅଞ୍ଚଳର ଆଖପାଖର କିଛି ଲୋକ ନିୟମିତ ଭାବେ ଅଳିଆ ଆବର୍ଜନା ପକାଉଛନ୍ତି । ପ୍ଲାଷ୍ଟିକ୍, କାଗଜ, ଖାଦ୍ୟ ବର୍ଜ୍ୟବସ୍ତୁ ସମେତ ବିଭିନ୍ନ ପ୍ରକାରର ଅପରିଷ୍କାର ସାମଗ୍ରୀ ରାସ୍ତାକଡ଼ରେ ଗଦା ହୋଇ ରହିଛି। ଫଳରେ ସେଠାରେ ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶା, ମାଛିଙ୍କ ବଂଶ ବୃଦ୍ଧି ଓ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ବିଶେଷ କରି ଏହା ଏକ ବାଳିକା ବିଦ୍ୟାଳୟର ପାଚେରି ସଂଲଗ୍ନ ଅଞ୍ଚଳ ହୋଇଥିବାରୁ ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଗୋଟିଏ ପଟେ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ସ୍ବଚ୍ଛତାର ମହତ୍ତ୍ଵ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଶିକ୍ଷା ଦିଆଯାଉଥିବା ବେଳେ ଅନ୍ୟପଟେ ବିଦ୍ୟାଳୟ ପାଚେରି କଡ଼ରେ ଏଭଳି ଅଳିଆ ଗଦା ରହିବା ଘଟଣା ଅସନ୍ତୋଷର କାରଣ ପାଲଟିଛି। ଏହି ସମସ୍ୟା ପ୍ରତି ସମ୍ପୃକ୍ତ ପ୍ରଶାସନର ଦୃଷ୍ଟି ପଡ଼ୁ ନଥୁବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠୁଛି। କେବଳ ସ୍ବଚ୍ଛତା ଅଭିଯାନର ସ୍ଲୋଗାନ ଦେଲେ ହେବ ନାହିଁ, ଏହାର ବାସ୍ତବ ରୂପାୟନ ମଧ୍ୟ ଜରୁରୀ ବୋଲି ମତ ପ୍ରକାଶ ପାଉଛି। ତେଣୁ ତୁରନ୍ତ ଏହି ଅଞ୍ଚଳରୁ ଅଳିଆ ଆବର୍ଜନା ସଫା କରିବା, ନିୟମିତ ସଫେଇ ବ୍ୟବସ୍ଥା କରିବା, ଅଳିଆ ପକାଉଥିବା ବ୍ୟକ୍ତିମାନଙ୍କୁ ସଚେତନ କରିବା ସହ ଆବଶ୍ୟକସ୍ଥଳେ ଜୋରିମାନା ଆଦାୟ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଦାବି ହେଉଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ, ବିଦ୍ୟାଳୟର ଉଭୟ ପାର୍ଶ୍ଵରେ ଅଳିଆ ଆବର୍ଜନା ନ ପକାଇବାକୁ ବାରମ୍ବାର ବାରଣ କରାଯାଉଥିଲେ ମଧ୍ଯ ସ୍ଥାନୀୟ ଲୋକେ ଏହାକୁ ଗୁରୁତ୍ବ ଦେଉ ନ ଥୁବା ସେ କହିଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହେବେ ବୋଲି ସେ ପ୍ରକାଶ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଏକ ଶିକ୍ଷାନୁଷ୍ଠାନର ପରିବେଶକୁ ସ୍ବଚ୍ଛ ଓ ସୁରକ୍ଷିତ ରଖିବା ଦାୟିତ୍ଵ କାହାର ? ପ୍ରଶାସନ ଏହି ସମସ୍ୟାକୁ କେତେ ଗୁରୁତ୍ବର ସହ ନେଉଛି ଏବଂ କେବେ ଏହାର ସ୍ଥାୟୀ ସମାଧାନ ହେଉଛି, ତାହାକୁ ଅପେକ୍ଷା ଭଟଲି ବସି ।
