### ସାନକଞ୍ଜନୀ ବିଦ୍ୟାଳୟ ପୁନଃ ଖୋଲିବାକୁ ବିଧାନସଭାରେ ଦାବି ଉଠାଇଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
ହିଡିସିଂ ଜଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ କ୍ଷତିଗ୍ରସ୍ତଙ୍କୁ ଅଧିକ କ୍ଷତିପୂରଣ ଦେବା ସହ ସରକାରୀ ଜମି ମୂଲ୍ୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
ଅନୁଗୋଳ, ୨୯ ନଭେମ୍ବର: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ଶିକ୍ଷା ଓ ଜଳସେଚନ ସମ୍ବନ୍ଧୀୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜନସମସ୍ୟାକୁ ନେଇ ବିଧାନସଭାରେ ସ୍ୱର ଉଠାଇଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତର ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଖୋଲିବା ଏବଂ ବନ୍ତଳା ଅଞ୍ଚଳର ଚାଷଜମିକୁ ଜଳସେଚନ ପାଇଁ ପ୍ରସ୍ତାବିତ ହିଡିସିଂ ଜଳପ୍ରକଳ୍ପରେ ଜମି ଅଧିଗ୍ରହଣ କ୍ଷତିପୂରଣ ବୃଦ୍ଧି କରିବାକୁ ସେ ଦାବି ଉପସ୍ଥାପନ କରିଛନ୍ତି।
ସାନକଞ୍ଜନୀ ବିଦ୍ୟାଳୟ ପୁନଃ ଖୋଲିବାକୁ ଦାବି
ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତର ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଥିବା ସତ୍ତ୍ୱେ କିଛି ବର୍ଷ ପୂର୍ବେ ବିଦ୍ୟାଳୟଟିକୁ ବନ୍ଦ କରିଦିଆଯାଇଥିଲା। ଫଳରେ ସାନକଞ୍ଜନୀ ଗ୍ରାମର ପିଲାମାନେ ପାଠପଢ଼ିବା ପାଇଁ ନିଜ ଗ୍ରାମଠାରୁ ଦୂରରେ ଥିବା ବଡ଼କଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି।
ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସାନକଞ୍ଜନୀ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ସହ ସେଠାରେ ପାଠପଢ଼ା ଆରମ୍ଭ କରିବା ପାଇଁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବିଧାନସଭାରେ ଦାବି ଉଠାଇଥିଲେ। ମାନନୀୟା ବାଚସ୍ପତି ସୁରମା ପାଢ଼ୀଙ୍କ ଜରିଆରେ ସେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହି ବିଦ୍ୟାଳୟର ପୁନଃ ଖୋଲିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ।
ହିଡିସିଂ ଜଳପ୍ରକଳ୍ପରେ ଜମିହରାଙ୍କୁ ଅଧିକ କ୍ଷତିପୂରଣ ଦାବି
ସେହିପରି ବନ୍ତଳା ଅଞ୍ଚଳର ଚାଷୀମାନଙ୍କ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ହିଡିସିଂଠାରେ ପ୍ରସ୍ତାବିତ ହିଡିସିଂ ଜଳପ୍ରକଳ୍ପକୁ ନେଇ ମଧ୍ୟ ବିଧାୟକ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି।
ଏହି ଜଳପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରୀ ପରେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ମଧ୍ୟ ଶେଷ ହୋଇଛି। ତେବେ ଅନୁଗୋଳ ଏକ ଶିଳ୍ପବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ ଜମିର ସରକାରୀ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଜଳପ୍ରକଳ୍ପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହେଲେ କ୍ଷତିଗ୍ରସ୍ତ ହେବାକୁ ଥିବା ଜମିହରା ପ୍ରଜାମାନେ ଉପଯୁକ୍ତ ଓ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି।
ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଜଳପ୍ରକଳ୍ପ ପାଇଁ ଅଧିଗ୍ରହଣ ହେବାକୁ ଥିବା ଜମିଗୁଡ଼ିକର ସରକାରୀ ମୂଲ୍ୟ ବୃଦ୍ଧି କରିବା ସହ ଜମିହରା ପ୍ରଜାମାନଙ୍କୁ ଅଧିକ କ୍ଷତିପୂରଣ ପ୍ରଦାନ କରିବାକୁ ବିଧାୟକ ଦାବି ଜଣାଇଛନ୍ତି। ଏନେଇ ମାନନୀୟା ବାଚସ୍ପତି ସୁରମା ପାଢ଼ୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସେ ନିବେଦନ କରିଥିଲେ।
ଅନୁଗୋଳ ଅଞ୍ଚଳର ଜନସାଧାରଣଙ୍କ ଶିକ୍ଷା, କୃଷି ଓ ଜଳସେଚନ ସମସ୍ୟାର ସମାଧାନ ଦିଗରେ ଏହି ଦୁଇଟି ଦାବି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରି ଖୁବ୍ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବେ ବୋଲି ବିଧାୟକ ଆଶାବ୍ୟକ୍ତ କରିଛନ୍ତି।
ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଅଞ୍ଚଳର ବିକାଶ ପାଇଁ ବିଧାନସଭାରେ ଦାବି ଉପସ୍ଥାପନ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
