Spread the love

### ଓଡ଼ିଶାର ରାଜନୈତିକ ମାନଚିତ୍ର ବଦଳିବା ନେଇ ଚର୍ଚ୍ଚା; ଲୋକସଭା ଆସନ ୨୧ରୁ ୨୮/୩୧, ବିଧାନସଭା ୧୪୭ରୁ ୨୨୦କୁ ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ, ୨୯ ନଭେମ୍ବର: ଦେଶରେ ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓଡ଼ିଶାର ରାଜନୈତିକ ଚିତ୍ରରେ ବଡ଼ ପରିବର୍ତ୍ତନ ଆସିପାରେ। ରାଜ୍ୟର ଲୋକସଭା ଆସନ ସଂଖ୍ୟା ୨୧ରୁ ବୃଦ୍ଧି ପାଇ ୩୧ ହେବା ସହ ବିଧାନସଭା ଆସନ ୧୪୭ରୁ ୨୨୦କୁ ବଢ଼ିବାର ସମ୍ଭାବନା ରହିଛି।

ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଦେଶରେ ଲୋକସଭା ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇ ବର୍ତ୍ତମାନର ୫୪୩ ଆସନକୁ ୮୧୬କୁ ନେବାର ଯୋଜନା ରହିଛି। ଏହା ଲାଗୁ ହେଲେ ଉତ୍ତରପ୍ରଦେଶରେ ସର୍ବାଧିକ ୧୨୦ଟି ଲୋକସଭା ଆସନ ଏବଂ ମହାରାଷ୍ଟ୍ରରେ ୭୨ଟି ଆସନ ହୋଇପାରେ। ଏହି ପରିବର୍ତ୍ତନର ପ୍ରଭାବ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ପଡ଼ିବା ନେଇ ଆକଳନ କରାଯାଉଛି।

ପ୍ରସ୍ତାବିତ ଆସନ ବୃଦ୍ଧି ଅନୁସାରେ ଓଡ଼ିଶାରେ ପ୍ରାୟ ୭୩ଟି ନୂଆ ବିଧାନସଭା ନିର୍ବାଚନମଣ୍ଡଳୀ ସୃଷ୍ଟି ହୋଇପାରେ। ଫଳରେ ରାଜ୍ୟର ନିର୍ବାଚନୀ ଗଣିତ, ରାଜନୈତିକ ଦଳଗୁଡ଼ିକର ରଣନୀତି ଏବଂ ନେତାମାନଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।

ଏହାଦ୍ୱାରା ଲୋକସଭା କ୍ଷେତ୍ରର ଭୌଗୋଳିକ ସୀମା ମଧ୍ୟ ବଦଳିପାରେ। ବର୍ତ୍ତମାନ ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୧୫ରୁ ୧୮ ଲକ୍ଷ ଭୋଟର ରହୁଥିବା ବେଳେ ଆସନ ସଂଖ୍ୟା ବଢ଼ିଲେ ଏହା ହାରାହାରି ୧୧ ଲକ୍ଷକୁ ହ୍ରାସ ପାଇପାରେ। ପଶ୍ଚିମ ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୫ରୁ ବୃଦ୍ଧି ପାଇ ୭ ହେବାର ଆକଳନ ମଧ୍ୟ କରାଯାଉଛି।

ଜିଲ୍ଲାଗୁଡ଼ିକର ଜନସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ଆଧାର କରି ନୂଆ ନିର୍ବାଚନମଣ୍ଡଳୀ ଗଠନ ହେଲେ ଅନେକ ଜିଲ୍ଲାର ନିଜସ୍ୱ ଲୋକସଭା କ୍ଷେତ୍ର ହେବାର ସୁଯୋଗ ସୃଷ୍ଟି ହୋଇପାରେ। ଏହାଦ୍ୱାରା ସ୍ଥାନୀୟ ସମସ୍ୟା ସଂସଦ ଓ ବିଧାନସଭାରେ ଅଧିକ ପ୍ରଭାବଶାଳୀ ଭାବେ ଉଠିବାର ଆଶା ରହିଛି।

ତେବେ ଏହି ସମସ୍ତ ପରିବର୍ତ୍ତନ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଓ ତାହାର ଅନ୍ତିମ ନିଷ୍ପତ୍ତି ଉପରେ ନିର୍ଭର କରିବ। ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓଡ଼ିଶାର ରାଜନୈତିକ ମାନଚିତ୍ର ସହ ନିର୍ବାଚନୀ ସମୀକରଣରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇପାରେ।

Leave a Reply

Your email address will not be published. Required fields are marked *