ଭୂବନେଶ୍ୱର, ୨୧/୧୧ : ଅବକାରୀ ବିଭାଗର କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଖଣି ବିଭାଗ ପରେ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ବିଭାଗ ମଧ୍ୟରେ ଅବକାରୀ ବିଭାଗ ଅନ୍ୟତମ । ରାଜ୍ୟର ବିକାଶ ନିମନ୍ତେ ଏହି ରାଜସ୍ୱର ପ୍ରମୁଖ ଅବଦାନ ରହିଛି ।
ରାଜ୍ୟ ସରକାର ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି, ଯେଉଁଥିରେ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଏବଂ ଜରିମାନା ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ପୂର୍ବରୁ ଚାଲି ଆସିଥିବା ଅନେକ ବେଆଇନ କାରବାରକୁ ରୋକାଯାଇ ପାରିଛି । ରାଜ୍ୟ ସରକାର ବିଭାଗର ବିଭିନ୍ନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ ନେଇଛନ୍ତି । ତେଣୁ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଅବକାରୀ ନିୟମର ସଠିକ୍ ଅନୁପାଳନ ଏବଂ ବେଆଇନ ନିଶା କାରବାରକୁ ରୋକିବା ଦିଗରେ କାର୍ଯ୍ୟ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ।



