ଭୂବନେଶ୍ୱର, ୨୮/୦୧ : ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡିଶା କନକ୍ଲେଭ ୨୦୨୫କୁ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ଜଗନ୍ନାଥଙ୍କ ପବିତ୍ର ମାଟିକୁ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶ, ବିଦେଶର ନିବେଶକ ଓ ପ୍ରତିନିଧିଙ୍କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପୂର୍ବୋଦୟ ପାଇଁ ଆପଣ ଯେଉଁ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ସେହି ଭିତ୍ତିଭୂମି ଉପରେ ଏକ ମଜବୁଧ ଢାଞ୍ଚା ନିର୍ମାଣ ହେବାକୁ ଯାଉଛି । ଆପଣଙ୍କ ଉପସ୍ଥିତି ସମସ୍ତଙ୍କୁ ରାଜ୍ୟରେ ଦୀର୍ଘ ସମୟ ଧରି ପୁଞ୍ଜିନିବେଶ କରିବାକୁ ପ୍ରେରିତ କରିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା କେବଳ ସୁଯୋଗର କେନ୍ଦ୍ରବିନ୍ଦୁ ନୁହେଁ ବରଂ ଖୁବ୍ ଶୀଘ୍ର ଓଡ଼ିଶା ଭାରତର ଶିଳ୍ପ ଇଞ୍ଜିନ ହେବାକୁ ଯାଉଛି । ବିଶେଷକରି ପ୍ରଧାନମନ୍ତ୍ରୀ ପୂର୍ବୋଦୟ ଭାରତ ବିକାଶର ଲକ୍ଷ୍ୟର ଏକ ଅଂଶ ଅଟେ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁର ଗସ୍ତ କରିଥିଲି । ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ପାଇଁ କହିଥିଲି । ଶିଳ୍ପାନୁଷ୍ଠାନର ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ସ୍ପଷ୍ଟ । କୋଇଲା, ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ଆହୁରି ବ୍ୟାପକ କରିବାକୁ ଉଦ୍ୟମ କରାଯାଇଛି । ମାନବ ସମ୍ବଳକୁ ବୃଦ୍ଧି ସହ ସେମିକଣ୍ଡକ୍ଟର, IT କ୍ଷେତ୍ରକୁ ସଶକ୍ତ କରାଯିବ ।
ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଓଡ଼ିଶା ସମୃଦ୍ଧ ଓ ବିକଶିତ ହେବ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନର ସାମିଲ ହେବାକୁ ଯାଉଛୁ । ପ୍ରଧାନମନ୍ତ୍ରୀଙ୍କ ନାରା `ଏହି ସମୟ, ପ୍ରକୃତ ସମୟ’କୁ ପାଥେୟ କରି ଆଗକୁ ବଢ଼ିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।



