ଭୂବନେଶ୍ୱର, ୧୩/୦୪ : ଆଜି ରାଜଧାନୀ ଭୁବନେଶ୍ୱର ୭୭ ବର୍ଷରେ ପଦାର୍ପଣ କରିବ । ଏନେଇ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଉତ୍କଳ ମଣ୍ଡପରେ ହେବ ପ୍ରତିଷ୍ଠା ଦିବସ ସମାରୋହ । ଆଜି ତାରିଖ ସକାଳ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମୁଖ୍ୟ ଅତିଥି ଭାବେ ମାଲ୍ୟାର୍ପଣ କରିବେ ବାଚସ୍ପତି ସୁରମା ପାଢ଼ୀ ଓ ଅନ୍ୟାନ୍ୟ ଅତିଥି।
ସେ ମଧ୍ୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ବର ମହାନଗର ନିଗମ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ଉଦ୍ଘାଟନ ହେବା ସହ ରବିନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ଛକ ପର୍ଯ୍ୟନ୍ତ ବେସାମରିକ ପ୍ୟାରେଡ଼୍ ପ୍ରଦର୍ଶନ କରାଯିବ। ସଂଧ୍ୟାରେ ଉତ୍କଳ ମଣ୍ଡପରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।କାର୍ଯ୍ୟକ୍ରମରେ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏଥିରେ ନିମନ୍ତ୍ରିତ ଅତିଥ୍ ଭାବେ ଯୋଗଦେବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅପରାଜିତା ଷଢ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ବାବୁ ସିଂ, ବିଭୁତି ଭୂଷଣ ବଳବନ୍ତରାୟ, ମେୟର ସୁଲୋଚନା ଦାସ ଓ ଡେପୁଟି ମେୟର ମଞ୍ଜୁଲତା କହଁର। ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବାରୁ ୧୪ ଦିନ ପର୍ଯ୍ୟନ୍ତ ରାଜଧାନୀରେ ଉତ୍ସବର ମାହୋଲ ରହିବ । ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରଥମ ଦିବସ ସମାରୋହ ସହ ୧୪ ତାରିଖ ଦ୍ୱିତୀୟ ଦିନରେ ଓଡ଼ିଆ ନୂଆବର୍ଷ ପାଳନ ସମେତ ରାଜଧାନୀ ପ୍ରତିଷ୍ଠା ଦିବସକୁ ସାମିଲ କରାଯାଇ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରାଯିବ ।



