ନୂଆଦିଲ୍ଲୀ: ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ମଧ୍ୟପ୍ରଦେଶର ନିମୁଚଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଅମର ସହିଦଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ଦେଶକୁ ନକ୍ସଲ ମୁକ୍ତ କରିବା ଦିଗରେ ସେ ଗୁରୁତ୍ବାରୋପ କରିଥିଲେ ।
ସେ କହିଥିଲେ ଯେ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ । ଥିରେ ସିଆରପିଏଫ ଯବାନମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।ବର୍ତ୍ତମାନ ଏହି ଦିଗରେ ଆମ କୋବ୍ରା ବାଟାଲିୟନର ଯବାନମାନେ ଅଭୂତପୂର୍ବ କାର୍ଯ୍ୟ କରୁଛନ୍ତି । ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପାଇଁ ଦେଶର ସଂକଳ୍ପ ଆପଣଙ୍କ ଅଦମ୍ୟ ସାହସ ବଳରେ ପୂରଣ ହେବ ବୋଲି ଶାହା କହିଛନ୍ତି । ଦେଶର ଇତିହାସ ଯେବେ ଲେଖାଯିବ, ସେବେ ସୁରକ୍ଷା ବାହିନୀର ଅମର ସହିଦଙ୍କ ସାହସିକତାର ଗାଥା ପ୍ରଥମେ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯିବ ବୋଲି ସେ କହିଛନ୍ତି ।ସେହିପରି, ସମସ୍ତ ସହିଦ ସିଆରପିଏଫ୍ ଯବାନଙ୍କ ପରିବାରକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଦେଶ ଶକ୍ତିଶାଳୀ ଓ ସମୃଦ୍ଧ ହେବା ପଛରେ ଆପଣଙ୍କ ପରିବାରର ଅବଦାନ ଅତୁଳନୀୟ । ଦେଶର ନିରାପତ୍ତା ଓ ସ୍ୱାଧୀନତାର କାହାଣୀ ଯେତେବେଳେ ଲେଖାଯିବ, ଏଥିରେ ଆପଣଙ୍କ ପରିବାରର ଅବଦାନ ସର୍ବଦା ସ୍ମରଣୀୟ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମ ସରକାର ସିଆରପିଏଫର କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।ଏହି ଅବସରରେ ଶ୍ରୀ ଶାହା ଯବାନମାନଙ୍କୁ ବୀରତା ପୁରସ୍କାରରେ ସମ୍ମାନିତ କରିଥିଲେ ।



