ଜିଲ୍ଲାରେ ଅପରାଧ ରୋକିବା ନିମନ୍ତେ ଆଇନ୍ ଶୃଙ୍ଖଳା ସୁଦୃଢ଼ କରିବା ନେଇ ଦଳିତ ମହାସଂଘ ପକ୍ଷରୁ ମଇ ୧୭ ରେ ୧୨ ଘଂଟିଆ ତାଳଚେର ବନ୍ଦ ଡାକରା
ତାଳଚେର, ୧୨/୦୫ ଅନୁଗୋଳ ଜିଲ୍ଲାରେ ଅପରାଧ ରୋକିବା ନିମନ୍ତେ ଆଇନ୍ ଶୃଙ୍ଖଳା ସୁଦୃଢ଼ କରିବା ନେଇ ଦଳିତ ମହାସଂଘ ପକ୍ଷରୁ ଆସନ୍ତା ମଇ ୧୭ ରିଖରେ ୧୨ ଘଂଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି । ଏନେଇ ସଂଘ ପକ୍ଷରୁ ଶୁକ୍ରବାର ଅନୁଗୋଳ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଉପଖଣ୍ଡ ପ୍ରଶାସନକୁ ୯ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ପୂର୍ବରୁ ସୁଭଦ୍ରା ପାଦିଲ୍ ଙ୍କୁ ଅପହରଣ କରି ଗଣ ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯିବା ଏବଂ ଦେଉଳବେଡା ଅଂଚଳର ବିଶ୍ଜିତ୍ ନାଏକଙ୍କୁ ହତ୍ୟା କରାଯାଇ ନିକଟସ୍ଥ ଶିବରାମପୁର ରାସ୍ତା କଡରୁ ଗଳିତ ଶବ ଉଦ୍ଧାର କରାଯିବା ଭଳି ଘଟଣା ଆଜକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅପରାଧି ମାନଙ୍କୁ ପୋଲିସ୍ ପ୍ରଶାସନ ଗିରଫ କରିବାରେ ବିଫଳ ହୋଇଛି । ହତ୍ୟାକାରୀ ମାନଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ଗିରଫ କରି ସଂପୃକ୍ତ ଅପରାଧିମାନଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ କରାନଗଲେ ୧୭ ତାରିଖ ସକାଳ ୬ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଜନ ଆନ୍ଦୋଳନ ମାଧ୍ୟମରେ ମାନବ ଅଧିକାର ଏବଂ ଭାରତ ସମ୍ବିଧାନର ଗାରିମା ବଜାୟ ରଖିବା ନିମନ୍ତେ ତାଳଚେର ଅଂଚଳର ରାସ୍ତାଘାଟ ଓ ଅଖଚକ ବନ୍ଦ କରାଯିବ । ଏହା ସହିତ ୭ ଦଫା ଦାବୀ ଗୁଡିକ ହେଲା-ଉକ୍ତ ଘଟଣା ଗୁଡିକରେ ସଂପୃକ୍ତ ସମସ୍ତ ଅପରାଧି ମାନଙ୍କୁ ତୁରନ୍ତ ଗିରଫ କରି ଭାରତୀୟ ସମ୍ବିଧାନ ଆଇନ୍ ଅନୁଯାୟୀ କଠୋରରୁ କଠୋର ଦଣ୍ଡ ବିଧାନ କରାଯିବା । ଉପଯୁକ୍ତ ସମୟରେ ତଦାରଖ ନକରି ଅବହେଳା କରିଥିବା ସଂପୃକ୍ତ ଥାନା ଅଧିକାରୀମାନଙ୍କୁ ଚାକିରୀରୁ ବହିଷ୍କାର କରାଯିବା । ମୃତ ସୁଭଦ୍ରା ପାଦିଲ୍ ଓ ମୃତ ବିଶ୍ୱଜିତ୍ ନାଏକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ବାବଦରେ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବା । ସୁଭଦ୍ରା ପାଦିଲ୍ଙ୍କ ପରିବାରର ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ସହ ବାସଗୃହ ପ୍ରଦାନ କରାଯିବା । ତାଳଚେର ରେଳ ଷ୍ଟେସନ୍ ଠାରୁ ତାଳଚେର ରୋଡ୍ ରେଳ ଷ୍ଟେସନ୍ ରାସ୍ତାକୁ ସ୍ୱତନ୍ତ୍ର ନିର୍ମାଣ କରି ଅତ୍ୟାଧୁନିକ କ୍ୟାମେରା ଲଗାଇବାର ବ୍ୟବସ୍ଥା କରାଯିବା ଏବଂ ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ଓ ଗମନାଗମନ ସୁବିଧା ପାଇଁ ସରକାରୀ ବସ୍ ଯୋଗାଇବା । ରେଳ ଷ୍ଟେସନ୍ରେ ସମସ୍ତ ଅଟୋ (ଟେମ୍ପୁ) ଓ ଅନ୍ୟାନ୍ୟ ଭଡା ଗାଡିକୁ ରେଳ ଷ୍ଟେସନ୍ ରେ ଭଡାରେ ଲଗାଇବା ନିମନ୍ତେ ସରକାରୀ ପଂଜିକୃତ କରାଯାଉ ଏବଂ ଯେଉଁ ଚାଳକ ମାନଙ୍କର ନାମରେ ଅପରାଧ କେସ୍ ଅଛି ସେମାନଙ୍କୁ ଗାଡି ଚଳାଇବା ପାଇଁ ଅନୁମତି ଦିଆନଯାଉ । ରେଳ ଷ୍ଟେସନ୍ରେ ଯାତ୍ରୀମାନେ ଯେଉଁ ସ୍ଥାନକୁ ଗମନାଗମନ କରିବେ ଏବଂ ଯେଉଁ ଚାଳକ ଭଡାରେ ଯିବେ ଉଭୟ ସଂପୂର୍ଣ୍ଣ ଠିକଣା, ସରକାରୀ ପଂଜିକୃତ କାର୍ଯ୍ୟାଳୟ/ଗାଡିଚାଳକ ସଂଘରେ ପଂଜିକୃତ କରାଯାଉ । ରେଳ ଷ୍ଟେସନ୍ ରେ ଟ୍ରେନ୍ ଫେଲ୍ ଯାତ୍ରୀ କିମ୍ବା ଟ୍ରେନ୍ ବିଳମ୍ବ ପହଂଚିବା ଯାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହର ବ୍ୟବସ୍ଥା କରାଯିବା ପାଇଁ ତାଳଚେର ଦଳିତ ମହାସଂଘର ସାଧାରଣ ସଂପାଦକ ତଥା ମହାସଚିବ ଧିମାନ୍ କୁଞ୍ଜ ବିହାରୀ ବେହେରା ଲିଖିତ ଭାବେ ଜଣାଇଛନ୍ତି ।



