ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟାଟା ଆଇପିଏଲ ୨୦୨୫ରେ ବାକି ଥିବା ମ୍ୟାଚ ପୁଣିଥରେ ଖେଳିବାକୁ ଘୋଷଣା କରିଛି । ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏବେ ଟୁର୍ଣ୍ଣାମେଣ୍ଟର ବାକି ୧୭ଟି ମ୍ୟାଚ ୧୭ ମେରୁ ଆରମ୍ଭ ହେବ ।
ଏହି ସବୁ ମ୍ୟାଚ ଛଅଟି ସହରରେ ଖେଳାଯିବ । ଫାଇନାଲ ମୁକାବିଲା ୩ ଜୁନରେ ହେବ ।ବିସିସିଆଇ ସରକାର ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ସହ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି । ନୂଆ ସୂଚୀ ଅନୁଯାୟୀ, ୧୭ଟି ମ୍ୟାଚ ମଧ୍ୟରେ ଦୁଇଟି ଡବଲ-ହେଡର ରହିଛି, ଯାହା ଦୁଇଟି ରବିବାର ଖେଳାଯିବ । ପ୍ଲେଅଫର ତାରିଖ ମଧ୍ୟ ସ୍ଥିର ହୋଇଛି । କ୍ୱାଲିଫାୟାର ୧ – ୨୯ ମଇ, ଏଲିମିନେଟର – ୩୦ ମଇ, କ୍ୱାଲିଫାୟାର ୨ – ୧ ଜୁନ ଏବଂ ଫାଇନାଲ – ୩ ଜୁନ. ପ୍ଲେଅଫ ପାଇଁ ଷ୍ଟାଡିୟମଗୁଡ଼ିକର ସୂଚନା ପରେ ପ୍ରକାଶ କରାଯିବ ।ବିସିସିଆଇର ସଚିବ ଦେବଜିତ ସାଇକିଆ କହିଛନ୍ତି, ‘ଆମେ ଦେଶର ଯବାନଙ୍କର ସାହସକୁ ସଲାମ କରୁଛୁ । ଯାହାଙ୍କ ପ୍ରୟାସରେ କ୍ରିକେଟର ସୁରକ୍ଷା ପୁଣିଥରେ ସମ୍ଭବ ହୋଇଛି ।’ ସେ ଆହୁରି ଯୋଗ ଦେଇଛନ୍ତି ଯେ ବୋର୍ଡ ଜାତୀୟ ସ୍ୱାର୍ଥକୁ ସର୍ବୋଚ୍ଚ ରଖି ଏହି ଲିଗକୁ ସଫଳତାର ସହ ସମାପ୍ତ କରିବାକୁ ଦୃଢ଼ପ୍ରତିଜ୍ଞ ।



