ଜଳ ଜୀବନ ମିସନ୍ ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ୮୩୦.୮୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରତିଟି ଗ୍ରାମୀଣ ପରିବାରରେ ଟ୍ୟାପ୍ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ହାସଲ କରିବାରେ ଏହି ପାଣ୍ଠି ବିଶେଷ ସହାୟକ ହେବ। ଗତବର୍ଷ ଏହି ଯୋଜନା ପାଇଁ ଓଡ଼ିଶାକୁ ୮୧୨.୧୫ କୋଟି ଟଙ୍କା ଦିଆଯାଇଥିଲା।
ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ୮୫.୬୭ ଲକ୍ଷ ପରିବାର ମଧ୍ୟରୁ ୪୧.୨୮ ପ୍ରତିଶତ ପରିବାର ପାଖରେ ଟ୍ୟାପ୍ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପହଞ୍ଚିଛି। ଅବଶିଷ୍ଟ ପରିବାର ପାଖରେ ଏହି ସୁବିଧା ପହଞ୍ଚାଇବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଜଳ ଜୀବନ ମିସନ୍ରେ ପ୍ରତି ଗ୍ରାମୀଣ ପରିବାର ପାଖରେ ଟ୍ୟାପ୍ ପାଣି ସୁବିଧା ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଥମିକତା ଦେଉଛନ୍ତି। ଏହି ଯୋଜନା ପାଇଁ ୨୦୨୧-୨୨ରେ ୩,୩୨୩.୪୨ କୋଟି ଟଙ୍କାର ବଜେଟ୍ ଅଟକଳ ଧାର୍ଯ୍ୟ କରାଯାଇଥିଲା।ଜଳ ଜୀବନ ମିସନ୍ ଅଧୀନରେ ଓଡ଼ିଶାରେ ୩୬୯୫ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୩୪୫ ଗ୍ରାମୀଣ ଆକ୍ସନ୍ ପ୍ଲାନ୍ ମଧ୍ୟ ବିକାଶ କରାଯାଇଛି। ଏହି ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଛଅ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି। ଫିଲ୍ଡ ଟେଷ୍ଟ କିଟ୍କୁ ବ୍ୟବହାର କରି ପାଣିର ମାନ ପରୀକ୍ଷା କରିବା ପାଇଁ ୧୭,୭୫୬ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି।ପ୍ରତିଟି ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଭୋଜନ ପ୍ରସ୍ତୁତି, ହାତ ସଫା କରିବା ଏବଂ ଶୌଚାଳୟ ବ୍ୟବହାର କରିବା ପାଇଁ ଟ୍ୟାପ୍ ପାନୀୟ ଜଳ ଉପଲବ୍ଧ କରିବା ଲାଗି ଉଦ୍ୟମ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬୭ ପ୍ରତିଶତ ସ୍କୁଲ (୩୬,୩୭୨), ୫୪ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ର (୨୯,୦୯୭)ରେ ଟ୍ୟାପ୍ ପାନୀୟ ଜଳଯୋଗାଣ ବ୍ୟବସ୍ଥା ପହଞ୍ଚିପାରିଛି। ଦେଶରେ ଗୋଆ, ତେଲେଙ୍ଗାନା, ଆଣ୍ଡାମାନ ଓ ନିକୋବର, ଦାଦ୍ରା ଓ ନଗର ହାଭେଳି, ଡାମନ ଓ ଡିଉ ଓ ହରିୟାଣା ‘ହର୍ ଘର ଜଲ୍’ ମାନ୍ୟତା ପାଇଛନ୍ତି।



