ଭାରତରେ ପ୍ରଣୟନ ହେଉଥିବା ରଣନୈତିକ ନୀତିଗୁଡ଼ିକ ଆସନ୍ତା ୨୦୪୭ ସୁଦ୍ଧା ଦେଶକୁ ୪ ଟ୍ରିଲିୟନ୍ ଡଲାରରୁ ୩୨ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ବେଙ୍ଗାଲୁରୁରେ ଅନୁଷ୍ଠିତ ଆଇ.ଆଇ.ଟି., ମାଡ୍ରାସର ସଙ୍ଗମ୨୦୨୫ ଗ୍ଲୋବାଲ୍ ଇନୋଭେସନ ଏବଂ ଆଲୁମିନି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଗୋୟଲ୍ ଏହା କହିଛନ୍ତି ।
ସରକାରଙ୍କ ଭବିଷ୍ୟତବାଦୀ ନୀତିଗୁଡ଼ିକ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବରେ ସ୍ଥାନିତ କରିଥିବାବେଳେ ୨୦୨୮ ସୁଦ୍ଧା ଦେଶ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି ।ସେ କହିଛନ୍ତି, ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ । ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱ ନେଉଛି ବୋଲି ସେ କହିଛନ୍ତି । ପୂର୍ବ ବଜେଟ୍ରେ ସରକାର ବିମ୍ଟେକ୍ ଇକୋ ସିଷ୍ଟମ୍ ବିକଶିତ କରିବାପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାପାଇଁ ଏବେ ସରକାର ଅତିରିକ୍ତ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନନ୍ତି ବୋଲି ଶ୍ରୀ ଗୋୟଲ କହିଛନ୍ତି । ଗତ କ୍ୟାବିନେଟ୍ ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ସରକାର ୧ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଥିଲେ । ପ୍ରଯୁକ୍ତିବିଦ୍ୟା ନବସୃଜନକୁ ଅଧିକ ପ୍ରୋତ୍ସାହିତ କରିବାପାଇଁ ଆସନ୍ତା ୫୦ ବର୍ଷ ମଧ୍ୟରେ ଏ ଦିଗରେ ସରକାର ବିନା ସୁଧରେ ଋଣ ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ।



