ପାରାଦୀପ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଛି। ଗତ ଆଠ ଦିନ ହେଲା ପାରାଦୀପର ଜର୍ଦାରୀ ପଡାରେ ଆସି ରହୁଥିବା ଏକ ବାଂଲାଦେଶୀ ପରିବାରକୁ ପୋଲିସ ଉଠାଇନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ପରିବାର ବାଂଲାଦେଶରୁ ସପରିବାର ନଦୀରେ ପହଁରି ପହଁରି ପ୍ରଥମେ କଲିକତାରେ ପହଞ୍ଚିଥିଲେ। ସେଠାରେ ଥିବା ତାଙ୍କର କିଛି ସମ୍ପର୍କୀୟଙ୍କ ସହଯୋଗରେ ପାଖାପାଖି ଏକ ମାସ ରହିବାପରେ ପାରାଦୀପର ଜର୍ଦାରୀ ପଡାରେ ରହୁଥିବା ତାଙ୍କ ସମ୍ପର୍କୀୟ ଙ୍କ ସହଯୋଗରେ ବସ୍ ଯୋଗେ ୮ ଦିନ ତଳେ ଏଠାରେ ପହଞ୍ଚି ଏକ ଭଡାଘର ନେଇ ରହୁଥିଲେ। ଏହିଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଏଠାରେ ରହୁଥିବା କିଛି ବାଂଲାଦେଶୀ ପରିବାର ସେମାନଙ୍କୁ ଆଣି ଏଠାରେ ରହିବାର ବ୍ୟବସ୍ଥା କରାଇ ଦେଉଛନ୍ତି।ତେବେ କୌଣସି ସୂତ୍ରରୁ ଲକ୍ ଥାନା ପୋଲିସ ଖବର ପାଇଥିଲା। ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଜର୍ଦାରୀ ପଡାରେ ପହଞ୍ଚି ସେମାନଙ୍କୁ ଉଠାଇ ଆଣିଛି। ଏଥିସହିତ ତାଙ୍କୁ ପାରାଦୀପ ଆଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବା ସହିତ ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ୍ କରୁଥିବା ଜଣାପଡ଼ିଛି। ତେବେ ଉକ୍ତ ପରିବାର ବାଂଲାଦେଶରୁ ଆସିଥିବା ଘଟଣାକୁ ସ୍ବିକାର କରିଛନ୍ତି ଆଶ୍ରୟ ଦେଇଥିବା ତାଙ୍କ ସମ୍ପର୍କୀୟ।



