ଅବିଶାନ୍ତ ବର୍ଷା, ଜନଜୀବନକୁ କରୁଛି କହଦହ
ତାଳଚେର, ୧୪/୦୭ ଶିଳ୍ପନଗରୀ ତାଳଚେର ଅଂଚଳରେ ଅବିଶାନ୍ତ ବର୍ଷାରେ ରାସ୍ତାଘାଟରେ ପାଣି ଜମିରହିବାରୁ ବଡ଼ବଡ଼ ଗର୍ତ ସୃଷ୍ଟି ହୋଇ ବାଟୋଇମାନଙ୍କ ଯାତାୟତର ଦୂରର କଥା ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି । ଗାଁ ଠାରୁ ସହର ଜୁଆଡ଼େ ଚାହିଁଲେ ସିଆଡ଼େ ଜଳମଗ୍ନ । ଲଗାଣବର୍ଷା ଯୋଗୁଁ ଚାଷକାର୍ଯ୍ୟ ସୂଚାରୁ ରୂପେ ହୋଇ ପାରୁନଥିବା ବେଳେ ଗୃହପାଳିତ ପଶୁମାନେ ପଦାକୁ ଚରାବୁଲା କରିବାକୁ ଯାଇ ପାରୁନାହାନ୍ତି । ଏପରକି ପକ୍ଷୀମାନେ ଗଛର ବସାରୁ ପଦାକୁ କିମ୍ବା ଆକାଶରେ ଉଡ଼ିବାର ଦୃଶ୍ୟ ପରିଲକ୍ଷିତ ହେଉନାହିଁ । ବର୍ଷା ଯୋଗୁଁ ରାସ୍ତାଜନଶୂନ୍ୟ ହେବାରୁ ବେପାର ବଣିଜରେ ମାନ୍ଦାବସ୍ଥା ସୃଷ୍ଟି କରୁଛି । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ପାଠଶାଳାକୁ ଯିବା ନିମନ୍ତେ ଘୋର ଅସୁବିଧା ହେବା ସହ ସ୍କୁଲ ଗୁଡ଼ିକରେ ଉପସ୍ଥାପନା କମିବାରେ ଲାଗିଛି । କୋଇଲା ଖଣି ଗୁଡ଼ିକରେ ବର୍ଷାଜଳ ଜମି ରହୁଥିବା ଓ ସଠିକଭାବେ ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଉତ୍ପାଦନ ଓ ପରିବହନରେ ବାଧା ଉପୁଜୁଛି । ବର୍ଷାଜଳ ଜମି ରହୁଥିବା ହେତୁ ଘର ଗୁଡ଼ିକ ସନ୍ତସନ୍ତିଆ ହେବା ସହ ଗାଁ ଗଣ୍ଡାରେ ଥିବା ମାଟିକାନ୍ଥ ଧସିବାର ମଧ୍ୟ ଦେଖାଯାଇଛି । ବର୍ଷା ଯୋଗୁଁ ରାସ୍ତା କଡ଼ ଓ ବାଡ଼ିବଗିଚାରେ ଅନାବନା ଗଛ ଉଠୁଥିବାରୁ ମଶାମାଛିଙ୍କର ବଂଶ ମଧ୍ୟ ବିସ୍ତାର ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ମ୍ୟାଲେରୀଆ ଓ ଡ଼େଙ୍ଗୁଭଳି ମାରାତ୍ମକ ରୋଗର ଆଶଙ୍କା ସୃଷ୍ଟି କରୁଛି । ନଦୀପାଣି ଗୁଳିଆ ରହୁଥିବାରୁ ସହରବାସୀଙ୍କୁ ସେହି ଜଳ ସଠିକ୍ ବିଶୋଧନ କିମ୍ବା ଆଲମ, ବ୍ଲିଚିଙ୍ଗ, ଫିଟିକିରି ବ୍ୟବହାର ନକରାଯାଇ ପାଇପ୍ ଯୋଗେ ସିଧାସଳଖ ଯୋଗାଇ ଦିଆଯାଉଛି, ଯାହା ଫଳରେ ବର୍ଷାଋତୁରେ ଏହା ଶରୀର ପାଇଁ କ୍ଷତିକାରକ ବୋଲି ଡ଼ାକ୍ତରମାନେ ମତ ଦେଉଛନ୍ତି । ଦିନ ଥାଉ ଥାଉ ଏସବୁ ଦିଗପ୍ରତି ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



