ଭୂବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ମହାମହିମ । ଏହି ଅବସରରେ ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଆହୁରି ଖୁସି ବୋଲି କହିଲେ ମହାମହିମ ।
ଏହି ଅବସରରେ ନିଜ ସମ୍ବୋଧନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଆହୁରି ଖୁସି ।
ମାଆ, ଭଉଣୀ ହେଉଛନ୍ତି ସେବାର ପ୍ରତୀକ । ଝିଅମାନେ ଅଧିକରୁ ଅଧିକ ଡାକ୍ତର ହେଲେ ସେବା କାର୍ଯ୍ୟ ଜୋରଦାର ହେବ ।ଏମ୍ସ ରେ ଚିକିତ୍ସା ସମ୍ପର୍କ ଉପରେ ନେଇ ମୁର୍ମୁ କହିଛନ୍ତି ଯେ, ଗୁଣାତ୍ମକ ଚିକିତ୍ସା ଯୋଗୁଁ ଦେଶ ବାହାରୁ ଚିକିତ୍ସା ପାଇଁ ଏମ୍ସ ଆସୁଛନ୍ତି ରୋଗୀ । ଗତ ୧୦ ବର୍ଷରେ ୧୦ ଲକ୍ଷ ଲୋକ ଏମ୍ସରେ ଚିକିତ୍ସିତ ହୋଇଛନ୍ତି । ବାଲ୍ୟବସ୍ଥା ଗାଁରେ କଟିଛି, ଗାଁରେ ଲୋକେ ଡାକ୍ତରଙ୍କୁ ଭଗବାନ ମାନନ୍ତି । ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ ମଧ୍ୟ । ଡାକ୍ତରୀ ସେବାର ଅନ୍ତ ନାହିଁ, ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସେବା ଯୋଗାଇବେ ଡାକ୍ତରମାନେ । ଏହା ୧୦ରୁ ୫ ଡ୍ୟୁଟି ନୁହେଁ, ସବୁବେଳେ କାମ କରିବାକୁ ହେବ । ଆଉ ଏଥିରୁ ଆପଣଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳିବ, ଏହାର ତୁଳନା ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ।ତେବେ ଆଜି ରାଜଭବନରେ ରାତ୍ରିଯାପନ କରିବେ ମହାମହିମ । ୧୫ ତାରିଖ ପୂର୍ବାହ୍ନରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ସେ କଟକର ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନରେ କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନ ଯାଇ ଆଦିକବି ସାରଳା ଦାସଙ୍କ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ସାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ କଳିଙ୍ଗ ପୁରସ୍କାର ୨୦୨୪ ପ୍ରଦାନ କରିବେ । ମଙ୍ଗଳବାର ସନ୍ଧ୍ୟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।



