ଭୂବନେଶ୍ବର: ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଃ । ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଅବିଶ୍ୱସନୀୟ ଅବଦାନ ପାଇଁ ବିଜୟ କୁମାର ରଥଙ୍କୁ ଆଜି କଟକ ଠାରେ ଅନୁଷ୍ଠିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନ ସୂଚକ ଡ଼କ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି।
ଦୃଷ୍ଟିହୀନ ହୋଇଥିବା ସତ୍ତ୍ୱେ, ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପଥଦ୍ରଷ୍ଟା ସାଜିଥିଲେ ବିଜୟ କୁମାର ରଥ। ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ, ସେ ଜୀବନର ପ୍ରତିଟି ଘାତ ପ୍ରତିଘାତକୁ ଅତିକ୍ରମ କରି ଆଜି ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରିଛନ୍ତି। ପିତା ବୃନ୍ଦାବନ ରଥଙ୍କ ଆଦର୍ଶକୁ ପାଥେୟ କରି ସେ ଜୀବନରେ ଅଗ୍ରସର ହୋଇଥିଲେ। ନିଜ ଛାତ୍ର ଜୀବନରୁ ହିଁ ସେ ନିଜର ଅଙ୍ଗିକାରବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରତିପାଦିତ କରିଥିଲେ, ଯାହା ଦ୍ଵାରା ସେ ଆଜିର ସମାଜରେ ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।ବିଜୟ କୁମାର ରଥ ବିଜେବି ଓ ଖଲିକୋଟ କଲେଜରେ ଉଚ୍ଚ ଶିକ୍ଷା ଗ୍ରହଣ କରି ବ୍ରହ୍ମପୁରରେ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସେଠାରେ ଏକମାତ୍ର ଶିକ୍ଷକ ଭାବରେ ଯୋଗଦେଲେ। ଅଧ୍ୟାପନା ସମୟରେ ସେ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ କରି ସେଠିକାର ଦୃଷ୍ଟିହୀନ ଶିକ୍ଷାଧାରା ସମ୍ପର୍କରେ ଅବଗତ ହୋଇ ଓଡ଼ିଶାରେ ସେହିଭଳି ଶିକ୍ଷାଦାନ ଢ଼ାଞ୍ଚା ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ। ବିଜୟ କୁମାର ରଥ ଦୃଷ୍ଟିହୀନଙ୍କ ପାଇଁ ନିଜ ସମଗ୍ର ଜୀବନ ଉତ୍ସର୍ଗୀକୃତ କରିଦେଇଛନ୍ତି। ତାଙ୍କ ଉଦ୍ୟମରେ ଭୁବନେଶ୍ଵର ଓଡ଼ିଆ ବ୍ଲାଇଣ୍ଡ ଆସୋସିଏସନ (ଓଏବି) ର ପ୍ରତିଷ୍ଠା ହୋଇପାରିଛି। ଏହା ସହିତ ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ପ୍ରତିଷ୍ଠା କରି ସେ ଦୃଷ୍ଟିହୀନମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି।ବିଜୟଙ୍କ ମାର୍ଗଦର୍ଶନରେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଆଜି ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବହୁ ପଦପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ତାଙ୍କ ଭଳି ଜଣେ ତ୍ୟାଗୀ, ପରୋପକାରୀ, ଅନ୍ୟନ୍ୟ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵଙ୍କୁ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚନ ଡ଼କ୍ଟରେଟ୍ ଉପାଧିରେ ବିଭୂଷିତ କରିଥିବା ଯୋଗୁଁ ଓଡ଼ିଶା ଦୃଷ୍ଟିହୀନ ସମାଜ ସମେତ ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।



