ଭୂବନେଶ୍ୱର, ୨୮/୦୭ : ନବରଙ୍ଗପୁରରେ ଥମୁନି ଜନନୀ ଯନ୍ତ୍ରଣା । ୨କିମି ଭାରରେ ବୁହାହେଲେ ଗର୍ଭବତୀ । ମେଡିକାଲରେ ପହଞ୍ଚିବାପରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ବ୍ଲକର ବରଡ଼ାଯୋଡ଼ି ଗାଁରେ । ପରିବାର ଲୋକ ସ୍ଥାନୀୟ ଆଶାକର୍ମୀଙ୍କୁ ଯୋଗାଯୋଗ କରିଥିଲେ ।
ଆଶାକର୍ମୀ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ବରଡ଼ାଯୋଡ଼ି ଅଭିମୁଖେ ବାହାରିଥିଲା । କିନ୍ତୁ ପକ୍କା ରାସ୍ତା ନଥିବାରୁ ଗାଁଠାରୁ ପ୍ରାୟ ୨କିମି ଦୂର ଡାଇକ୍-୧ ଗାଁରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ଏହି ଖବର ପାଇ ଆଶାକର୍ମୀ, ଗ୍ରାମବାସୀ ଓ ପରିବାର ଲୋକ ସୁନିତାଙ୍କୁ ଜଙ୍ଗଲିଆ ରାସ୍ତା ଦେଇ ୨ କିମି ଭାରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ସୁନିତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅପରାହ୍ଣରେ ସୁନିତା ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି ।



