ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ
ପରଲୋକରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ସୋମବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଟ୍ୱିଟରରେ ବାପାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଗତ ମାସେରୁ ଅଧିକ ସମୟ ଧରି ଶିବୁ ସୋରେନ୍ ଅସୁସ୍ଥ ଥିଲେ । ଏହାସହ ସେ କିଡନୀ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଜୁନ୍ ଶେଷ ସପ୍ତାହରେ ଶିବୁ ସୋରେନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ବୋହୂ କଳ୍ପନା ସୋରେନ ତାଙ୍କ ପାଖରେ ଦିଲ୍ଲୀରେ ଉପସ୍ଥିତ ଥିଲେ । ପୂର୍ବରୁ ସୋରେନଙ୍କ ଅସୁସ୍ଥତାର ଖବର ପାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଶିବୁ ସୋରେନଙ୍କୁ ଭେଟିବା ପାଇଁ ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ ଯେ ଶିବୁ ସୋରେନ ଝାଡ଼ଖଣ୍ଡର ସ୍ୱତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ରାଜ୍ୟ ଗଠନ ପରେ ସେ ତିନିଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ସେ ଦଳର ପୃଷ୍ଠପୋଷକ ଭୂମିକାରେ ଥିଲେ। ସେ ସାତ ଥର ଲୋକସଭା ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୦୪ ମସିହାରେ ସେ ମନମୋହନ ସିଂହ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ମଧ୍ୟ ଥିଲେ।ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନ ବର୍ତ୍ତମାନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ। ତାଙ୍କ ବୋହୂ ଏବଂ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଜଣେ ବିଧାୟକ। ତାଙ୍କ ସାନ ପୁଅ ବସନ୍ତ ସୋରେନ ମଧ୍ୟ ଦୁମକାରୁ ବିଧାୟକ। ତାଙ୍କ ବଡ଼ ପୁଅ ଦୁର୍ଗା ସୋରେନର ଦେହାନ୍ତ ହୋଇଛି। ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ ବର୍ତ୍ତମାନ ବିଜେପି ସଦସ୍ୟ।



