ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦ ନିକଟବର୍ତ୍ତୀ ହଂସଲପୁର ଠାରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଇଲେକ୍ଟ୍ରିକ ବ୍ୟାଟେରୀ ଚାଳିତ ଯାନ ଇ-ଭିଟାରାର ଶୁଭାରମ୍ଭ କରିଛନ୍ତି । ଏହି ଯାନ ୧୦୦ଟି ଦେଶକୁ ରପ୍ତାନୀର ଶୁଭାରମ୍ଭ କରିବା ସହ ଶ୍ରୀ ମୋଦୀ ହଂସଲପୁରଠାରେ ଥିବା ସୁଜୁକି ମୋଟର ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଭାରତରେ ନିର୍ମିତ ସୁଜୁକିର ପ୍ରଥମ ବିଶ୍ୱସ୍ତରୀୟ ରଣନୈତିକ ବ୍ୟାଟେରୀଯୁକ୍ତ ବୈଦ୍ୟୁତିକ ଯାନର ଶୁଭାରମ୍ଭ କରିଛନ୍ତି ।ୟୁରୋପ ଏବଂ ଜାପାନ୍ ଭଳି ପ୍ରମୁଖ ବଜାର ସମେତ ୧୦୦ରୁ ଅଧିକ ଦେଶକୁ ଏହି ଯାନ ରପ୍ତାନୀ କରାଯିବ । ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପଦକ୍ଷେପ ସ୍ୱରୂପ ଟି.ଡି.ଏସ୍. ଲିଥିଅମ୍-ଆୟନ୍ ବ୍ୟାଟେରୀ ପ୍ଲାଣ୍ଟରେ ପ୍ରଧାନମନ୍ତ୍ରୀ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନର ଉଦ୍ଘାଟନ କରିଛନ୍ତି । ଏହି ପଦକ୍ଷେପ ଘରୋଇ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ସହିତ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଦେଶରେ ସବୁଜ ଶକ୍ତି ଉତ୍ପାଦନକୁ ଏହା ସୁଦୃଢ଼ କରିବ ।ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଭାରତର ବ୍ୟାଟେରୀ ଇକୋ ସିଷ୍ଟମକୁ ଆହୁରି ବିକଶିତ କରିବା ଲାଗି ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।



