ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ବିଜେଡି
ଭୁବନେଶ୍ୱର, ୦୮/୦୯ : ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଓଡିଶା ରାଜନୀତି ପାଇଁ ଆସିଛି ବଡ ଖବର । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି । ଏ ନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି । ଏହି ଖବର ଏମିତି ସମୟରେ ଆସିଛି ଯେତେବେଳେ ନବୀନ ପଟ୍ଟନାୟକ ଦିଲ୍ଲୀରେ ଅଛନ୍ତି ।
ବିଜେଡି ୨୦୧୪ ପରଠୁ ସର୍ବଦା ବିଜେପି ସହ ରହି ଆସିଛି । ୨୦୨୪ ପର୍ଯ୍ୟନ୍ତ ବିଜେଡି ରାଜ୍ୟର ଶାସନ ଗାଦିରେ ଥିଲା । ତେଣୁ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସହ ଭଲ ସଂପର୍କ ରଖିବା ଏବଂ ବିଧେୟକରେ ସମର୍ଥନ ଦେବା ରଣନୀତି ବୁଝା ପଡୁଛି । ଏହା ପୂର୍ବରୁ ୱକଫ ବିଲ୍ ଉପରେ ଭୋଟିଂ ପାଇଁ ବିଜେଡି ନିଜର ସାଂସଦଙ୍କ ବିବେକ ଉପରେ ଛାଡିଥିଲା । ଏହାକୁ ନେଇ ବେଶ ଅପବାଦ ସହିଥିଲା ଦଳ । ତେଣୁ ଏହି ବିବେକାନୁମୋଦିତ ଭୋଟ୍ କଥାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଚାଲିଥିଲା। କାରଣ ବିଜେଡି ଏକ ବିଚିତ୍ର ଦଳ ଏବଂ ତାର ମୁଖିଆ ମଧ୍ୟ ବଡ ବିଚିତ୍ର ରାଜନୈତିକ ବ୍ୟକ୍ତି । ଆଉ ଏବେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇ ବି ବିଜେଡି ଭୋଟିଂରୁ ବିରତ ରହି ପରୋକ୍ଷରେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା କୁହାଯାଉଛି ।ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ରଣନୀତି କଣ ରହିବ ଏବଂ ଦଳ କାହାକୁ ସମର୍ଥନ କରିବ ନା ବିରତ ରହିବ ସେ ନେଇ ସାତ ରାଜ୍ୟସଭା ସାଂସଦଙ୍କ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଆଉ ଏହା ହିଁ ନିଷ୍କର୍ସ ବାହାରିଛି ଯେ, ବିଜେଡି ଭୋଟିଂରୁ ବିରତ ରହିବ । ଏମିତି ଅନେକ ବିଧେୟକ ରହିଛି ଯେଉଁଥିରେ ବିଜେଡି ସର୍ବଦା ଏନଡିଏ ସମର୍ଥନରେ ରହି ଆସିଛି । ଆଉ ଏବେ ଗାଦିଚ୍ୟୁତ ହେବା ପରେ ବି ଦଳ ନିଜର ପୁରୁଣା ରଣନୀତି ବଜାୟ ରଖିଛି ।



