ଭୁବନେଶ୍ବର: ନୂଆ ସରକାର ମାତ୍ର ୧୫ ମାସ ହେବ ଓଡ଼ିଶାର ଶାସନ ଦାୟିତ୍ବ ନେଇଛି। ଏହି ଅଳ୍ପ ସମୟ ମଧ୍ୟରେ ସରକାର ୨୬୦ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ୮୪ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
ଏହାଦ୍ୱାରା ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହୋଇପାରିଛି। ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓୟୁଏଟିସ୍ଥିତ କନ୍ଭେନସନ ସେଣ୍ଟରଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲାରେ ସମୁଦାୟ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଉପରୋକ୍ତ ସୂଚନା ଦେଇଛନ୍ତି। ଏହି ୨୭ଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି। ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଥିଲେ ଯେ, ଯେତେବେଳେ ଓଡ଼ିଶାକୁ କିଛି ନିବେଶ ଆସୁଛି, ସେତେବେଳେ ଓଡ଼ିଶା ପ୍ରତି ଶିଳ୍ପ ଜଗତର ଭରସା ବୃଦ୍ଧି ପାଉଛି। ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ନୀତି ଓ ନିଷ୍ଠା ପ୍ରତି ନିବେଶକଙ୍କ ଆସ୍ଥା ବୃଦ୍ଧି ପାଉଛି। ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ (ବିନିର୍ମାଣ ପୁଞ୍ଜ) କରିବା ପାଇଁ ବିଭିନ୍ନ ହାଇ ଭାଲ୍ୟୁ ପ୍ରଡକ୍ଟ (ଉଚ୍ଚ ମୂଲ୍ୟ ଉତ୍ପାଦ) ଉତ୍ପାଦନ ଦିଗରେ ନିବେଶକଙ୍କୁ ଆକୃଷ୍ଟ କରୁଛୁ। ମାନୁଫାକ୍ଚରିଂ ଭାଲ୍ୟୁ ଚେନ୍ (ବିନିର୍ମାଣ ମୂଲ୍ୟ ଶୃଙ୍ଖଳ)ରେ ଆହୁରି ଉପରକୁ ଉଠି ସାରା ବିଶ୍ବର ବଜାରରେ ପ୍ରତିଯୋଗିତା କରିପାରୁଥିବା ଭଳି ଉତ୍ପାଦ ନିର୍ମାଣ କରୁଛୁ। ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଉପଯୁକ୍ତ ନୀତି ସହିତ ପ୍ରତ୍ୟେକ କ୍ଷେତ୍ରକୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉଛି।’ଏକ୍ ପେଡ୍ ମା’ କି ନାମ୍’ ୨.୦ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଉଦ୍ୟୋଗୀ ତଥା ଶିଳ୍ପାନୁଷ୍ଠାନ ନିଜ ନିଜ ଅଞ୍ଚଳରେ ଯେତେ ଅଧିକ ସମ୍ଭବ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସ ପାଳନ ହେବ। ଓଡ଼ିଶାବାସୀ ସେହି ଗୋଟିଏ ଦିନରେ ୭୫ ଲକ୍ଷ ଚାରା ଲଗାଇବା ପାଇଁ ନିଷ୍ପତ୍ତି କରିଛନ୍ତି। ଏହି ଅଭିଯାନରେ ଶିଳ୍ପସଂସ୍ଥାଗୁଡ଼ିକ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡ଼ା, କୋରାପୁଟ ଓ ଅନୁଗୋଳଠାରେ ଆଭାସି ମାଧ୍ୟମରେ ସେ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, କିପରି ଗ୍ରାଉଣ୍ଡ ଜିରୋ (କ୍ଷେତ୍ରସ୍ତରରୁ) ସଫଳତା ମିଳିବ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ସର୍ବଦା ରହିଆସିଛି। ରାଜ୍ୟ ସରକାର ଶିଳ୍ପକ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। କାର୍ଯ୍ୟକ୍ରମରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଏବଂ ପ୍ରମୁଖ ଶିଳ୍ପପତିମାନେ ମଞ୍ଚାସୀନ ଥିଲେ। ଦକ୍ଷତା ବିକାଶ ବିଭାଗର ସଚିବ ଭୂପେନ୍ଦ୍ର ସିଂ ପୁନିଆ ଧନ୍ୟବାଦ ଦେଇଥିଲେ।



