ଇଥାନଳ କାରଖାନାରୁ ବହିସ୍କୃତ ତରଳ ଦ୍ରବଣ ରେ ବାଉଲସିଂହା ଗ୍ରାମ ର ପୋଖରୀ ପାଣି ଖରାପ
ଭଟଲି:- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଙ୍ଗା ଠାରେ ଅବସ୍ଥିତ ଇଥାନଲ କାରଖାନା ରୁ ନିର୍ଗତ ରାସାୟନିକ ତରଳ ଦ୍ରବଣ ଗ୍ରାମର ଏକ ମାତ୍ର ପୋଖରୀ ରେ ଛାଡି ଦେବା କାରଣରୁ ପାଣି ବିଷାକ୍ତ ହୋଇ ଯାଇଛି। ଏହି ପୋଖରୀ ର ପାଣି ବର୍ତ୍ତମାନ କୌଣସି ବ୍ଯବହାର ରେ ଆସୁନାହିଁ। ଦେହରେ ଲାଗିଲେ ଅନେକ ପ୍ରକାରର ଚର୍ମ ରୋଗ ହେଉଛି। ଗତ ପ୍ରାୟ ଗୋଟିଏ ମାସ ହୋଇଗଲାଣି ଗ୍ରାମର ଲୋକମାନଙ୍କ ବ୍ଯବହାର ରେ ଆସୁଥିବା ଏକମାତ୍ର ପୋଖରୀ ବର୍ତ୍ତମାନ ବିଷାକ୍ତ ହୋଇ ଯାଇଛି ଏବଂ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଲୋକମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପୋଖରୀ ରେ ଥିବା ମାଛ ଓ ଅନ୍ଯାନ୍ୟ ଜୀବସବୁ ମରିଯାଇଛନ୍ତି। କିନ୍ତୁ କାରଖାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କାରଖାନା ଏପର୍ୟ୍ଯନ୍ତ ସଂପୂର୍ଣ୍ଣ ଭାବରେ ଚାଲିନାହିଁ। ପରିକ୍ଷା ମୂଳକ ଭାବରେ ଗୋଟିଏ ଥର ଇଥାନଲ ଉତ୍ପାଦନ କରାଯାଇଛି। ଗ୍ରାମବାସୀଙ୍କ ସଂଦେହ ହେଉଛି ଯେ ଯଦି ପରିକ୍ଷା ମୂଳକ ଭାବରେ ଉତ୍ପାଦନ କରି ପୋଖରୀ ର ଏପରି ଅବସ୍ଥା ହୋଇଛି, ଯେତେବେଳେ ପୂର୍ଣ୍ଣମାତ୍ରାରେ କାରଖାନା ଚାଲିବ ସେତେବେଳେ ଅବସ୍ଥା କଣ ହେବ। ଏହାକୁ ନେଇ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ ସେହି ପାଣି ର ସଠିକ୍ ପରିକ୍ଷା କରାଯାଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ପୂର୍ବରୁ ଏହାର ସ୍ଥାୟୀ ସମାଧାନ କରାନଗଲେ ଅନେକ୍ ଧନ ଜୀବନ ନଷ୍ଟ ହେବାର ସଂଭାବନା ରହିଛି। ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ତରଫରୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ବାଉଲସିଙ୍ଗା ଇଥାନଲ କାରଖାନା ପରିସର ପରିଦର୍ଶନ ପାଇଁ ଯାଇଥିଲା । ଇଥାନଲ କାରଖାନା ପାଖରେ ଥିବା ପୋଖରୀ ର ପାଣି ଦେଖିବା ପରେ ଗାଁ ର ଲୋକମାନଙ୍କ ଏବଂ କାରଖାନା ର ଉଚ୍ଚ ଅଧିକାରୀ ଙ୍କ ସହିତ ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ଆଲୋଚନା କରିଥିଲେ।ତଥ୍ୟ ଅନୁସନ୍ଧାନ ଦଳ ରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଂଗରାଜ, ଅରୁଣ କୁମାର ସାହୁ, ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ, ସାମ୍ବାଦିକ ଉମେଶ ବିଶ୍ବାଳ, କିଶୋର ସାହୁ, ଶ୍ରୀମୁଖ ସାହୁ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।




