ବେଆଇନ୍ ପାର୍କିଂ କୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଲୋକଙ୍କ ଜୀବନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ଯୋଡ଼ା ଖଣି ମଣ୍ଡଳ ଦେଇ ଯାଇଥିବା ୫୨0 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବଡ଼ବିଲ ଥାନା ଓ ରୁଗୁଢି ଥାନା ଅନ୍ତର୍ଗତ ଭଦ୍ରାସାହି ଛକ ଠାରୁ ଗୁଆଲି ପର୍ଯ୍ୟନ୍ତ ଓ ଭଦ୍ରାସାହି ଠାରୁ ବଡ଼ବିଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ପ୍ରାୟ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜରକୁ ଆସିଥାଏ l ସଡ଼କ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଅକାଳ ବିୟୋଗ ଘଟୁଥିବା ଦେଖିବାକୁ ମିଳେ l ତେବେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ଏଡାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ଭଦ୍ରାସାହି ଛକରୁ ନୋ-ଏଣ୍ଟ୍ରି ଜୋନ ଘୋଷଣା କରାଯାଇଛି l ମାତ୍ର ଭଦ୍ରାସାହି ଫ୍ଲାୟ ଓଭର ଠାରୁ ଟଣ୍ଟ ଓ ରୁଗୁଡ଼ି ଠାରୁ ଟୋପାଡିହି ଓ ବଡ଼ବିଲ ଭଦ୍ରାସାହି ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନ ମାନଙ୍କ ବେଆଇନ ପାର୍କିଂ ଦୁର୍ଘଟଣା ର ମୁଖ୍ୟ କାରଣ ବୋଲି ମତ ପ୍ରକାଶ ପାଉଛି l

ତେବେ ଦେଖାଯାଏ କି ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକ ଦୀର୍ଘ ଦିନ ଧରି ରାସ୍ତାରେ ପଡି ରହୁଥିବା ବେଳେ ଏହା ଦ୍ୱାରା ମଧ୍ୟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୁଏ l ପ୍ରକାଶ ଯେ ଭଦ୍ରାସାହି ଛକ ଠାରୁ ଗୁଆଲି ପର୍ଯ୍ୟନ୍ତ ଯାଇଥିବା ରାଜପଥ ର ବିଆର୍ପିଏଲ୍ ପ୍ଲାଣ୍ଟ ନିକଟରେ ପ୍ରାୟ ଏକ ମାସ ପୂର୍ବେ ଏକ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହୋଇ ଗାଡିର ସାମନା ପାଖଟି ଚୁରମାର ହୋଇ ଯାଇଥିଲା l ମାତ୍ର ଟ୍ରଲର ମାଲିକ ଗାଡିର ଇଞ୍ଜିନ ଥିବା ସାମନା ଭାଗଟି ସେଠାରୁ ଉଠାଇ ନେଇଥିବା ବେଳେ ଡାଲାଟି ଏବେ ମଧ୍ୟ ସେଠାରେ ରାଜପଥ କୁ ଅବରୋଧ କରି ବିପଦ ସଙ୍କୁଳ ଅବସ୍ଥାରେ ସେଠାରେ ପଡି ରହିଛି, ଯାହାଦ୍ୱାରା ବିଭିନ୍ନ ସମୟରେ ଅଘୋଷିତ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୁଏ l ତେଣୁ ଟ୍ରଲର ଡାଲା ଟିକୁ ସେଠାରୁ ସ୍ଥାନାନ୍ତରଣ ପାଇଁ ସାଧାରଣରେ ଦାବିହୁଏ lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




