ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଢେଙ୍କାନାଳ,ତା. ୩୦.୧୦.୨୦୨୫- ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ବାଇପାସ ଠାରୁ କୋରିଆଁ ବାଇପାସ ରାସ୍ତାର ଆଲୋକିକରଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନଗୁଡିକରେ ଯଥାଶୀଘ୍ର ଆବଶ୍ୟକ ସାଇନେଜ ଲଗାଇବାକୁ ଗୁରୁତ୍ବାରୋପ କରିଥିଲେ । ସହର ମଧ୍ୟରେ ଥିବା ଛକମାନଙ୍କରେ ଲାଗିଥିବା ଟ୍ରାଫିକ୍ ଲାଇଟ ପୋଷ୍ଟଗୁଡ଼ିକ ପୁନଃ କାର୍ଯ୍ୟକ୍ଷମ କରାଯିବାର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଦିନରେ ବୋଝେଇ ଭାରିଯାନ ଚ଼ଳାଚ଼ଳ ନିୟମକୁ ସଠିକ ଭାବେ ଅନୁପାଳନ କରିବାକୁ କହିଥିଲେ । ରାସ୍ତାରୁ ସମସ୍ତ ଗାଇଗୋରୁଙ୍କୁ ହଟାଇବାର ବ୍ୟବସ୍ଥା କରିବା ସହିତ ଡ଼ିଭାଇଡ଼ରକୁ ବେଆଇନଭାବେ କଟିଂ କରିଥିବା ହୋଟେଲ୍, ପେଟ୍ରୋଲ ପମ୍ପ ଆଦି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ଜାତୀୟ ରାଜପଥରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆମ୍ବୁଲାନ୍ସ ଓ କ୍ରେନ୍ ମୁତୟନର ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ କମିଟିର ସଦସ୍ୟମାନେ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ। ସହର ମଧ୍ୟରେ ଗାଡ଼ି ପାର୍କିଂକୁ ବ୍ୟବସ୍ଥିତ କରିବା ସହିତ ଦୃତଚାଳକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିଟିର ସଦସ୍ୟ ମାନେ ଦୃଷ୍ଟି ଆକର୍ଷଣ କରିଥିଲେ । କଲେଜ ବାଇପାସ ଠାରେ ଡ୍ରେନେଜ ବ୍ୟବସ୍ଥା କରି ଜମୁଥିବା ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ କହିଥିଲେ । ସଡ଼କସୁରକ୍ଷା ସଂପର୍କୀତ କରାଯାଇଥିବା ବିଭିନ୍ନ ସଚ଼େତନତା କାର୍ଯ୍ୟକ୍ରମ ସଂପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ସୂଚ଼ନା ପ୍ରଦାନ କରିଥିଲେ। ଏହି ବୈଠକରେ, ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



