ଆମେରିକାରେ ନିଲାମ ହେବାକୁ ଯାଉଛି ବିଶ୍ୱର ସବୁଠୁ ଦାମୀ ଶୌଚାଳୟ। ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ ଅନୁସାରେ, ଶୁଦ୍ଧ ସୁନାରେ ତିଆରି ‘ଆମେରିକା’ ନାମକ ଏହି ସଂରଚନାକୁ ଇଟାଲୀୟ କଳାକାର ମାରିଜିଓ କ୍ୟାଟଲନ୍ ପ୍ରସ୍ତୁତ କରିଛନ୍ତି । ଏହି ଶୌଚାଳୟକୁ ତିଆରି କରିବାକୁ ୧୦୧.୨ କିଲୋଗ୍ରାମରୁ ଅଧିକ ଶୁଦ୍ଧ ସୁନା ବ୍ୟବହାର ହୋଇଛି ।
ଏହାର ଲୁକ୍ ଇଂଲଣ୍ଡର ବ୍ଲେନ୍ହେମ ପ୍ୟାଲେସ୍ରୁ ୨୦୧୯ରେ ଚୋରି ହୋଇଥିବା ପ୍ରସିଦ୍ଧ ସୁନା ଶୌଚାଳୟ ସହ ସମାନ ।ସୋଥବୀର ଜଣେ କର୍ମକର୍ତ୍ତା ଡେଭିଡ୍ ଗାଲ୍ପେରିନ୍ କହିଛନ୍ତି, ମାରିଜିଓ କ୍ୟାଟଲନ୍ ୨୦୧୬ ମସିହାରେ ‘ଆମେରିକା’ର ଦୁଇଟି ସଂସ୍କରଣ ପ୍ରସ୍ତୁତ କରିଥିଲେ । ବର୍ତ୍ତମାନ ଯାହା ନିଲାମ ହେବାକୁ ଯାଉଛି ତାହା ୨୦୧୭ରୁ ଜଣେ ଅଖ୍ୟାତ ସଂଗ୍ରହକାରୀଙ୍କ ନିକଟରେ ଥିଲା । ଦ୍ୱିତୀୟ ସଂସ୍କରଣଟି ୨୦୧୬ରେ ନ୍ୟୁୟର୍କର ଗୁଗେନ୍ହାଇମ୍ ସଂଗ୍ରହାଳୟସ୍ଥିତ ଏକ ବାଥ୍ରୁମ୍ରେ ପ୍ରଦର୍ଶନ କରାଯାଇଥିଲା ।ଏଭଳିକ୍ଷେତ୍ରରେ ନିଲାମୀ ଲାଗି ପ୍ରାରମ୍ଭିକ ମୂଲ୍ୟ ଭାରତୀୟ ମୁଦ୍ରାରେ ୮୩ କୋଟି ଟଙ୍କା ରଖାଯାଇଛି । ନିଲାମୀ ଉଦ୍ଦେଶ୍ୟରେ ‘ଆମେରିକା’କୁ ସୋଥବୀର ନ୍ୟୁୟର୍କସ୍ଥିତ ମୁଖ୍ୟାଳୟରେ ନଭେମ୍ବର ୮ ତାରିଖରୁ ପ୍ରଦର୍ଶିତ କରାଯିବ ।



