ଦଧିବାମନ ସ୍ନାତକ ମହାବିଦ୍ୟାଳୟ ରେ ଇତିହାସ ବିଭାଗର ରାଜ୍ୟସ୍ତରୀୟ ପାଠଚକ୍ର

ଭଟଲି (ଅଭିମନ୍ୟୁ ପଧାନ):- ଦଧିବାମନ ସ୍ନାତକ ମହାବିଦ୍ୟାଳୟ ଭଟଲି ରେ ଇତିହାସ ବିଭାଗ ଓ ଆଇକ୍ୟୁଏସି ର ମିଳିତ ଆନୁକୁଲ୍ୟରେ ଅଧ୍ୟକ୍ଷ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ଅଧ୍ୟାପିକା ପ୍ରତିମା ପଣ୍ଡା ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପରେ ଅଧ୍ୟକ୍ଷ ଶ୍ରୀମାନ ସରୋଜ କୁମାର ଦାଶ ଇତିହାସର ପରିବର୍ତ୍ତିତ ସଂଜ୍ଞା , ଆବଶ୍ୟକତା ଓ ଏହାର ପରିବର୍ତ୍ତିତ ପରିସ୍ଥିତିରେ କିଭଳି ଏକ କ୍ରମବର୍ଦ୍ଧିଷ୍ଣୁ ବିଷୟ ହୋଇଛି ତା ଉପରେ ଏକ ବିସ୍ତୃତ ମତ ଉପସ୍ଥାପନା କରିଥିଲେ ।ପଶ୍ଚିମ ଓଡ଼ିଶାର ଇତିହାସ ସଂସ୍କୃତି ଓ ପ୍ରତ୍ନତାତ୍ତ୍ୱିକ ବିଷୟ ଉପରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାସିସ ଆଚାର୍ଯ୍ୟ ମହୋଦୟ ଯୋଗଦାନ କରି ପଶ୍ଚିମ ଓଡ଼ିଶାର ଇତିହାସର ଆବଶ୍ୟକତା ସଂପର୍କରେ ତଥ୍ୟ ଉପସ୍ଥାପନ ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ସମ୍ୱଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଅତୁଲ କୁମାର ପ୍ରଧାନ ଯୋଗଦାନ କରି ଅସୁରଗଡ଼ ସଂସ୍କୃତି ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥାନ ବିଷୟରେ ମତ ରଖିଥିଲେ । ପୂର୍ବତନ ବରଗଡ଼ ଲୋକସଭା ସଦସ୍ୟ ଡ଼. ପ୍ରଭାତ ସିଂ ମୁଖ୍ୟ ରିସୋର୍ସ ପର୍ସନ ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ପଶ୍ଚିମ ଓଡ଼ିଶାର ଇତିହାସ ସଂରକ୍ଷଣ ଓ ଗୁରୁତ୍ୱ ବିଷୟରେ ନିଜସ୍ୱ ଆଗ୍ରହ ଜଣାଇଥିଲେ । ଦ୍ୱିତୀୟ ଅଧିବେଶନରେ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନକୁଲ ସେଠ ଓ ଡୁଙ୍ଗୁରୀପାଲି ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ମେହେର ବିଶିଷ୍ଟ ବକ୍ତା ଭାବରେ ପାଠଚକ୍ର ପରିଚାଳନା କରିଥିଲେ । ଡ଼. ନକୁଲ ସେଠ ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଇତିହାସ ସହ ବିଭିନ୍ନ ସ୍ଥାନରେ ରହିଥିବା ଐତିହାସିକ ପୋଥିର ରକ୍ଷଣାବେକ୍ଷଣ ଇତିହାସ ନିମନ୍ତେ ନିତାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ । ଇତିହାସରେ ପକ୍ଷପାତିତା ଏବଂ ଭାବନାର କୌଣସି ସ୍ଥାନ ନାହିଁ; ଇତିହାସ ହେଉଛି ଏକ ନିରପେକ୍ଷ ଅଧ୍ୟୟନ ବୋଲି ପ୍ରାଧ୍ୟାପକ କିଶୋର ଚନ୍ଦ୍ର ମେହେର ମତ ଦେଇଥିଲେ । ଏହି ପର୍ଯ୍ୟାୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବାରଜଣ ଯୁବ ଗବେଷକ ମାନେ ନିଜ ସନ୍ଦର୍ଭ ପାଠ କରିଥିଲେ । ଏହା ସହିତ ମହାବିଦ୍ୟାଳୟର ବିଭିନ୍ନ ଛାତ୍ରଛାତ୍ରୀ ସନ୍ଦର୍ଭ ପାଠ କରିବା ସହିତ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ବିଶ୍ୱଜିତ କୁମାର ହୋତା, ଶିକ୍ଷାବିଭାଗର ପ୍ରାଧ୍ୟାପକ ଚୁଡ଼ାମଣି ରଥ, ଆଇକ୍ୟୁଏସି କୋଅଡିନେଟର ବିରାଟ ପ୍ରଧାନ ସମେତ ଅଧ୍ୟାପକ ଡଃ. ରବିନାରୟଣ ପଣ୍ଡା, ରାଜୀବ ସାହୁ, ଆଶିଷ ମହାନ୍ତି, ସୁଜିତ ପୁରୋହିତ, ଅଜିତ ବାରିକ, ଦୀପକ ପତି, ସଂଗ୍ରାମ ସାହୁ, ଅଧ୍ୟାପିକା ରାଜଶ୍ରୀ ନାଥ, ଜୟନ୍ତୀ ସାହୁ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଇତିହାସ ବିଭାଗୀୟ ମୁଖ୍ୟ ପ୍ରତିମା ପଣ୍ଡା, ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ସଂପାଦକ ଅଧ୍ୟାପିକା ନମିତା ଭୋଇ ଓ ଅଧ୍ୟାପକ ସୌରୀନାରାୟଣ ସାହୁ ଉଭୟ ଅଧିବେଶନରେ ପର୍ଯ୍ୟାୟ କ୍ରମେ ଧନ୍ୟବାଦ ଅର୍ପଣ କରିଥିଲେ ।




