GST ନିୟମରେ ଆସିପାରେ ବଡ଼ ସଂସ୍କାର: ଛୋଟ ବ୍ୟବସାୟୀଙ୍କୁ ମିଳିବ ସହଜ ପଞ୍ଜୀକରଣ ସୁବିଧା
ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ପାଇଁ ଜିଏସଟି ବ୍ୟବସ୍ଥାକୁ ଅଧିକ ସରଳ ଓ ସୁବିଧାଜନକ କରିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛି ଜିଏସଟି କାଉନସିଲ୍। ଆଗାମୀ ବୈଠକରେ ‘ଜିଏସଟି ୨.୦’ ସଂସ୍କାର ଅଧୀନରେ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇପାରେ।
ପ୍ରସ୍ତାବିତ ପରିବର୍ତ୍ତନ ଲାଗୁ ହେଲେ ଇ-କମର୍ସ ପ୍ଲାଟଫର୍ମରେ ବ୍ୟବସାୟ କରୁଥିବା ଛୋଟ ବିକ୍ରେତାମାନଙ୍କ ପାଇଁ ଅନ୍ୟ ରାଜ୍ୟରେ ଜିଏସଟି ପଞ୍ଜୀକରଣ ପ୍ରକ୍ରିୟା ସହଜ ହୋଇପାରେ। ନିଜସ୍ୱ କାର୍ଯ୍ୟାଳୟ ନଥିଲେ ମଧ୍ୟ ସମ୍ପୃକ୍ତ ଇ-କମର୍ସ ପ୍ଲାଟଫର୍ମର ଗୋଦାମ କିମ୍ବା ୱେୟାରହାଉସକୁ ବ୍ୟବସାୟ ସ୍ଥଳ ଭାବେ ବ୍ୟବହାର କରିବାର ସୁଯୋଗ ମିଳିପାରେ।
ସେହିପରି ଗୋଟିଏ ରାଜ୍ୟରେ ଯାଞ୍ଚ ଓ ଆଧାର ପ୍ରାମାଣୀକରଣ ସମ୍ପନ୍ନ ହୋଇଥିଲେ, ଅନ୍ୟ ରାଜ୍ୟରେ ପୁଣି ଦୀର୍ଘ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ନପଡ଼ିପାରେ। ପ୍ଲାଟଫର୍ମର ସମ୍ମତି ଆଧାରରେ ଅଧିକାରୀଙ୍କ ଅତିରିକ୍ତ ହସ୍ତକ୍ଷେପ ବିନା ପଞ୍ଜୀକରଣର ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତାବ ରହିଛି। ଏଥିରୁ ପ୍ରାୟ ୯.୫ ଲକ୍ଷ ଛୋଟ ବିକ୍ରେତା ଉପକୃତ ହୋଇପାରନ୍ତି।
କ୍ରେତାଙ୍କ ITCକୁ ମିଳିପାରେ ସୁରକ୍ଷା
ଜିଏସଟି ସଂସ୍କାରର ଅନ୍ୟତମ ପ୍ରମୁଖ ପ୍ରସ୍ତାବ ହେଉଛି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ସୁରକ୍ଷା। ଯଦି କୌଣସି ଅସଲ କ୍ରେତାଙ୍କ ପାଖରେ ବୈଧ ବିଲ୍ ରହିଛି, କିନ୍ତୁ ଯୋଗାଣକାରୀ ଟିକସ ଦାଖଲ କରିନାହାନ୍ତି, ତେବେ କ୍ରେତାଙ୍କ ITC ବାତିଲ ନକରି ଡିଫଲ୍ଟର ବିକ୍ରେତାଙ୍କଠାରୁ ରାଜସ୍ୱ ଆଦାୟ କରିବାର ବ୍ୟବସ୍ଥା ଉପରେ ବିଚାର ହୋଇପାରେ।
ଛୋଟ ଟିକସ ବିବାଦରେ ମଧ୍ୟ ଆଶ୍ୱସ୍ତି
୧୦ ହଜାର ଟଙ୍କାରୁ କମ୍ ଟିକସ ବିବାଦ କ୍ଷେତ୍ରରେ ଜିଏସଟି ନୋଟିସ୍ ଜାରି ନକରିବା ନେଇ ମଧ୍ୟ ପ୍ରସ୍ତାବ ରହିଛି। ଏହା ସହ ନୋଟିସ୍ ଜାରି, ଶୁଣାଣି ଓ ବିବାଦ ସମାଧାନ ପାଇଁ ଏକ ସ୍ପଷ୍ଟ ମାନକ ପ୍ରସ୍ତୁତ କରିବା ନେଇ ଯୋଜନା ହେଉଛି।
ଏହି ପରିବର୍ତ୍ତନଗୁଡ଼ିକ ମଞ୍ଜୁର ହେଲେ ଛୋଟ ବ୍ୟବସାୟୀଙ୍କ ପାଇଁ ଜିଏସଟି ପଞ୍ଜୀକରଣ ଓ ଟିକସ ଅନୁପାଳନ ସହଜ ହେବା ସହ ଅନାବଶ୍ୟକ ଟିକସ ବିବାଦ ମଧ୍ୟ ହ୍ରାସ ପାଇବା ଆଶା କରାଯାଉଛି।

