### ଅନୁଗୋଳର ୫ ମହାବିଦ୍ୟାଳୟରେ ABVPର ଦବଦବା, ସମସ୍ତ ପ୍ରାର୍ଥୀ ବିଜୟୀ
ଅନୁଗୋଳ: ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ଦମ୍ଦାର ପ୍ରଦର୍ଶନ। ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୫ଟି ମହାବିଦ୍ୟାଳୟରେ ସଂଗଠନର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଛାତ୍ର ରାଜନୀତିରେ ABVPର ପ୍ରଭାବ ପୁଣି ସାମ୍ନାକୁ ଆସିଛି।
ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳ ମହିଳା ମହାବିଦ୍ୟାଳୟ ଏବଂ PSSJ ଡିଗ୍ରୀ କଲେଜରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିବା ପରେ ନବନିର୍ବାଚିତ ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟ ବିଜୟୀ ପ୍ରାର୍ଥୀମାନେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ।
ଏହି ସାକ୍ଷାତ ସମୟରେ ବିଧାୟକ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ସହ କ୍ୟାମ୍ପସରେ ଶିକ୍ଷାର ଅନୁକୂଳ ପରିବେଶ ସୃଷ୍ଟି କରିବା ନୂତନ ଛାତ୍ର ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।
ଅନ୍ୟପକ୍ଷରେ, ନିର୍ବାଚନ ପୂର୍ବରୁ ବନ୍ତଳା ଡିଗ୍ରୀ କଲେଜ ଓ ଆଞ୍ଚଳିକ ଡିଗ୍ରୀ କଲେଜରେ ABVPର ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଏହି ସଫଳତା ପରେ ଆଗାମୀ ଦିନରେ କଲେଜଗୁଡ଼ିକରେ ଶିକ୍ଷାର ଉନ୍ନତି, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ଏବଂ ବିକାଶମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ଏହି ବିଜୟ ପାଇଁ ସହଯୋଗ କରିଥିବା ଦଳୀୟ ନେତୃବୃନ୍ଦ, ବିଜେପି ଯୁବମୋର୍ଚ୍ଚା ଏବଂ ABVPର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଯାଇଛି। ଅନୁଗୋଳର ଛାତ୍ର ସଂସଦ ନିର୍ବାଚନରେ ଏହି ସଫଳତା ସଂଗଠନର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି।
