ଓଏସପିସିବିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମୀକ୍ଷା ବୈଠକ
ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟକୁ ଗୁରୁତ୍ୱ, ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଫୋକସ୍
ଭୁବନେଶ୍ୱର, ୫ ଅକ୍ଟୋବର: ରାଜ୍ୟରେ ଶିଳ୍ପ ବିକାଶ ଓ ପରିବେଶ ସୁରକ୍ଷାକୁ ସମାନ ଗୁରୁତ୍ୱ ଦେଇ ଆଗେଇବା ଉପରେ ଜୋର ଦେଇଛନ୍ତି ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ। ସୋମବାର ଓଏସପିସିବି ପରିଦର୍ଶନ କରି ସେ ବୋର୍ଡର ବିଭିନ୍ନ କାର୍ଯ୍ୟକଳାପ, ନିୟାମକ ବ୍ୟବସ୍ଥା, ପରିବେଶ ନିରୀକ୍ଷଣ, ବର୍ଜ୍ୟ ପରିଚାଳନା, ମାନବ ସମ୍ବଳ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ।
ବୈଠକରେ ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ପରିବେଶ ଅନୁମୋଦନ ଓ ଅନୁପାଳନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ପୂର୍ବାନୁମାନଯୋଗ୍ୟ, ସମୟବଦ୍ଧ ଓ ପ୍ରଯୁକ୍ତିଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ଦ୍ୱାରା ଶିଳ୍ପଗୁଡ଼ିକ ପରିବେଶ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ସହ ରାଜ୍ୟରେ ନୂଆ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ବୋଲି ଆଲୋଚନା ହୋଇଥିଲା।
ବର୍ଜ୍ୟ ନୁହେଁ, ସମ୍ପଦ ହେଉ
ବର୍ଜ୍ୟ ପରିଚାଳନାକୁ କେବଳ ନିଷ୍କାସନରେ ସୀମିତ ନରଖି ସର୍କୁଲାର ଇକୋନୋମି ଦିଗରେ ଆଗେଇବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ। ବର୍ଜ୍ୟର ପୁନଃବ୍ୟବହାର, ପୁନଃଚକ୍ରଣ ଓ ସମ୍ପଦ ପୁନରୁଦ୍ଧାର ମାଧ୍ୟମରେ ଏହାକୁ ଆର୍ଥିକ ସମ୍ପଦରେ ପରିଣତ କରିବା ଉପରେ ଜୋର ଦିଆଯାଇଥିଲା। ପୌର, ଶିଳ୍ପ, ପ୍ଲାଷ୍ଟିକ, ଇ-ବର୍ଜ୍ୟ, ନିର୍ମାଣ ଓ ଭଙ୍ଗା ବର୍ଜ୍ୟ ଏବଂ ବିପଜ୍ଜନକ ବର୍ଜ୍ୟର ପୃଥକୀକରଣ, ସଂଗ୍ରହ, ପ୍ରକ୍ରିୟାକରଣ ଓ ପୁନଃଚକ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା।
ଏଥିସହ ଫ୍ଲାଏ ଆଶ୍, ସ୍ଲାଗ୍, ରେଡ୍ ମଡ୍ ଓ ଫସ୍ଫୋଜିପସମ୍ ଭଳି ଶିଳ୍ପ ଉପ-ଉତ୍ପାଦର ପୁନଃବ୍ୟବହାର ଓ ପୁନଃଚକ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ସାମଗ୍ରୀକୁ ନିର୍ମାଣ, ରାଜପଥ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣରେ ବ୍ୟବହାର ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା।
ଡିଜିଟାଲ ନିରୀକ୍ଷଣ ଓ ଆଧୁନିକ ପରୀକ୍ଷାଗାର ଉପରେ ଜୋର
ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ନିରୀକ୍ଷଣକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଅନ୍ଲାଇନ୍ ନିରୀକ୍ଷଣ, ସ୍ୱୟଂଚାଳିତ ତଥ୍ୟ ସଂଗ୍ରହ, ଶିଳ୍ପଗୁଡ଼ିକର ଡିଜିଟାଲ୍ ଅନୁପାଳନ ନିରୀକ୍ଷଣ ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବୋର୍ଡର କେନ୍ଦ୍ରୀୟ ପରୀକ୍ଷାଗାର, ଉପକୂଳ ପରିବେଶ ନିରୀକ୍ଷଣ କେନ୍ଦ୍ର ଓ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର ପରୀକ୍ଷାଗାରର ଆଧୁନିକୀକରଣ ସହ ଗବେଷଣା କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ସିଙ୍ଗିଲ୍ ୱିଣ୍ଡୋ ଓ କାଗଜବିହୀନ ପ୍ରକ୍ରିୟା
ଶିଳ୍ପ ଓ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ ପ୍ରକ୍ରିୟାକୁ ସରଳ ଓ ସମୟବଦ୍ଧ କରିବା ଲକ୍ଷ୍ୟରେ ବିଭିନ୍ନ ଅନୁମୋଦନ ବ୍ୟବସ୍ଥାକୁ ସିଙ୍ଗିଲ୍ ୱିଣ୍ଡୋ ଅନ୍ଲାଇନ୍ ବ୍ୟବସ୍ଥା ସହ ସମନ୍ୱିତ କରିବା, ଅନ୍ଲାଇନ୍ ପ୍ରମାଣପତ୍ର ଯାଞ୍ଚ ଓ କାଗଜବିହୀନ କାର୍ଯ୍ୟପ୍ରଣାଳୀ ଭଳି ପଦକ୍ଷେପ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଓଏସପିସିବିର ସଦସ୍ୟ ସଚିବ ଡଃ. ମନୋଜ ଭି. ନାୟାର ବୋର୍ଡର ବର୍ତ୍ତମାନର କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସମ୍ପର୍କରେ ଉପସ୍ଥାପନା ରଖିଥିଲେ। ଶେଷରେ ପରିବେଶ ସୁରକ୍ଷା, ଦାୟିତ୍ୱସମ୍ପନ୍ନ ଶିଳ୍ପାୟନ ଓ ସ୍ଥାୟୀ ବିକାଶ ମଧ୍ୟରେ ସୁସମନ୍ୱୟ ସ୍ଥାପନ କରି ଓଡ଼ିଶାକୁ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ରାଜ୍ୟ ଭାବେ ଆଗେଇ ନେବାରେ ଓଏସପିସିବିର ଭୂମିକାକୁ ଆହୁରି ସୁଦୃଢ଼ କରିବାକୁ ଶ୍ରୀମତୀ ଗର୍ଗ ଆହ୍ୱାନ ଦେଇଥିଲେ।
