Spread the love

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସମ୍ମିଳିତ ବ୍ରାସ ବ୍ୟାଣ୍ଡର ଭବ୍ୟ ପଟୁଆର ଆୟୋଜିତ

ଦୋଳମୁଣ୍ଡାଇ ଛକ ଠାରୁ ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ ଆୟୋଜିତ ହେଲା ପଦଯାତ୍ରା

ଭାଗନେଲେ ୬ ଟି ବ୍ରାସ ବ୍ୟାଣ୍ଡ ଦଳ, ବାଦ୍ୟଯନ୍ତ୍ର ପରିବେଷଣ କଲେ ୧୦୦ରୁ ଉର୍ଦ୍ଧ୍ୱ କଳାକାର

ଭୁବନେଶ୍ୱର/କଟକ
୧୦ ନଭେମ୍ବର, ୨୦୨୬

ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି କଟକ ଠାରେ ସମ୍ମିଳିତ ବ୍ରାସ ବ୍ୟାଣ୍ଡ ବାଦ୍ୟଯନ୍ତ୍ରର ଏକ ଭବ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା କଟକ ଦୋଳମୁଣ୍ଡାଇ ଛକ ଠାରୁ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ଉକ୍ତ ସମ୍ମିଳିତ ବ୍ରାସ ବ୍ୟାଣ୍ଡ ବାଦ୍ୟଯନ୍ତ୍ର ସଙ୍ଗୀତର ଭବ୍ୟ ପଟୁଆରରେ ଏସ୍‌ କେ ଶୋରବ ଓ ସାଥୀ, ଏନ୍ ଲକ୍ଷ୍ମୀ ନାରାୟଣ ଓ ସାଥୀ, ଏ ବଳରାମ ଓ ସାଥୀ, କେ ତ୍ରିନାଥ ଓ ସାଥୀ, ମହମ୍ମଦ ରିଆଜ୍‌ ଓ ସାଥୀ, ଏସ୍‌ କେ ଅବିଦ୍ ଓ ସାଥୀ ଆଦି ୬ଟି ଦଳ ଅଂଶଗ୍ରହଣ କରିବା ସହ ବ୍ରାସ ବ୍ୟାଣ୍ଡ ବାଦ୍ୟଯନ୍ତ୍ର ସଙ୍ଗୀତ ପରିବେଷଣ କରିଥିଲେ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କହିଥିଲେ ଯେ, ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ ହେଉଛି ଆମ ସ୍ୱାଭିମାନର ପ୍ରତୀକ। ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସମ୍ମିଳିତ ବ୍ରାସ ବ୍ୟାଣ୍ଡ ବାଦ୍ୟଯନ୍ତ୍ର ସଙ୍ଗୀତର ଭବ୍ୟ ପଟୁଆର ଆଜି କଟକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ କଳାକାର ସାମିଲ ହୋଇ ସମ୍ମିଳିତ ବ୍ରାସ ବ୍ୟାଣ୍ଡ ବାଦ୍ୟଯନ୍ତ୍ର ସଙ୍ଗୀତ ପରିବେଷଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମ ଏକତା, ସଂହତି ଓ ଦେଶ ପ୍ରେମର ଭାବନାକୁ ପ୍ରତିଫଳିତ କରିଛି ବୋଲି ଡ଼. ହୋତା କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସଂସ୍କାର ଭାରତୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ କଟକର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *