କଳମଛୁଇଁ ଲକ୍ଷ୍ମୀପୂଜା କମିଟିର ପ୍ରସ୍ତୁତି ବୈଠକ
ତାଳଚେର,୨୨/୧୦ ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଦୋଳମଣ୍ଡପ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳମଛୁଇଁ ଲକ୍ଷ୍ମୀ ପୂଜା କମିଟିର ସଭାପତି ଗଗନ ବିହାରୀ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଗ୍ରାମର ୧୫ଟି ପୂଜା ମଣ୍ଡପର ସଭାପତି, ସଂପାଦକ, ଶାନ୍ତି କମିଟିର ସଦସ୍ୟମାନଙ୍କ ସହ ଗ୍ରାମର ବୟସ୍କ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ତଥା ଶାନ୍ତି ଶୃଙ୍ଖଳା ସହ ସୁଚାରୁ ରୂପେ ସଂପନ୍ନ କରାଯିବା ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା । ନିଷ୍ପତି ମୁତାବକ ଚଳିତ ଅକ୍ଟୋବର ମାସ ୨୫ ତାରିଖ ଠାରୁ ଦୀର୍ଘ ଦଶ ଦିନ ବ୍ୟାପି ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ ଏବଂ ନଭେମ୍ବର ୪ ତାରିଖ ବୁଧବାର ଦିନ ଭସାଣି ଉତ୍ସବ ସଂପନ୍ନ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏତଦ୍ବ୍ୟତୀତ କଳମଛୁଇଁ ଦେଉଳଛକ ମେଲଣପଡିଆ ଠାରେ ସମସ୍ତ ପୂଜା ମେଢ ଦିନ ଘ୯.୩୦ମି ମଧ୍ୟରେ ପ୍ରବେଶ କରିବା ସହ ଦିନ ୧୦ଟା ସୁଦ୍ଧା ପଡ଼ିଆରୁ ବିଦାୟ ନେବା ପାଇଁ ସମସ୍ତ କର୍ମକର୍ତା ଏକମତ ହୋଇଥିଲେ । ଏହି ଅବସରରେ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଗୋପାଳପ୍ରସାଦ ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରୀୟ ଲକ୍ଷ୍ମୀପୂଜା କମିଟିର ସଭାପତି ଗଗନ ବିହାରୀ ସାହୁ, ସଂପାଦକ ହରେଶ ଚନ୍ଦ୍ର ପ୍ରଧାନ, ତାଳଚେର ଏସଡ଼ିପିଓ ଭରତ ଚନ୍ଦ୍ର ସାହୁ, ଗୋପାଳପ୍ରସାଦ ଥାନା ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ସମସ୍ତ ପୂଜା କମିଟିର ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ । ସମସ୍ତ ପୂଜାକମିଟିର ସଦସ୍ୟମାନେ ଭସାଣୀ ଉତ୍ସବ, ଆଜ୍ଞାଲଡ଼ୁ ନିଲାମ ସମେତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ସମ୍ମତି ପ୍ରକାଶ କରିଥିଲେ ।
