କାଦୁଅ ରାସ୍ତାରେ ଖଟରେ ଦୁଇ କିଲୋମିଟର ବୁହା ହୋଇ ଘରକୁ ଗଲା ମୃତ ଦେହ ।
ସ୍ବାଧୀନତାର ୭୯ବର୍ଷ ପରେ ମଧ୍ୟ ଗ୍ରାମକୁ ନାହିଁ ରାସ୍ତା। ବର୍ଷା ହେଲେ କାଦୁଅ ପଚପଚ ରାସ୍ତାରେ ଯାତାୟାତ ଅସମ୍ଭବ। ଏଭଳି ସ୍ଥିତିରେ ସାମ୍ନାକୁ ଏକ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ ନଯିବାରୁ ଖଟରେ ବୁହା ହୋଇ ଘରକୁ ଆସିଲା ମୃତ ଦେହ। ଏପରି ଏକ ଯନ୍ତ୍ରଣା ଦାୟକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଖଣି ସମ୍ପଦ ଭରା ସମୃଧ ଧନୀ ଜିଲ୍ଲାର ବିକଳ ଚିତ୍ର ସାମ୍ନାକୁ ଆସିଛି । ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ମୃତ ଦେହକୁ ଗ୍ରାମରୁ ପ୍ରାୟ ୨ କିମି ଦୂର ମୁଖ୍ୟ ରାସ୍ତା ରୁ ଘରପର୍ଯ୍ୟନ୍ତ ଖଟିଆରେ ବୋହି ଆଣିବାକୁ ପଡିଛି। ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି ମୃତକ ଓ ତାଙ୍କ ପରିବାର ।
ଘଟଣାଟି ହେଉଛି କୁବେର ପୁରୀ ଭାବେ ବେଶ୍ ଜଣାଶୁଣା କେନ୍ଦୁଝରଜିଲ୍ଲା ଚମ୍ପୁଆ ବ୍ଲକ୍ ରିମୁଳି ପଞ୍ଚାୟତ ଅନ୍ତର୍ଗତ ତଡୁଆବାହାଳ ଗ୍ରାମର ହେସେଲଗୁଟ ସାହିର । ଗ୍ରାମର ଗୋବିନ୍ଦ ମାଝିଙ୍କ କ୍ୟାନ୍ସରରେ କଟକର ଏସିବି ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ ଦେହକୁ ଏକ ଆମ୍ବୁଲାନ୍ସ ଯୋଗେ କଟକରୁ ପରିବାର ଲୋକ ଗାଁ କୁ ଆଣି ଥିଲେ । ମାତ୍ର ସାହିକୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିବାରୁ ଆମ୍ବୁଲାନ୍ସ ସାହିର ଦୁଇ କିଲୋମିଟର ଦୂରରେ ଅଟକି ଯାଇଥିଲା। । ତେବେ ଗ୍ରାମରୁ ସାହିକୁ ଯାଇଥିବା ପ୍ରାୟ ୨ କିମି ବିଲ ରାସ୍ତା ଥିବାରୁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ପାରି ନଥିଲା।
ପରିବାର ସଦସ୍ୟ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ମୃତ ଦେହ ପ୍ରାୟ ୨ କିମି କାଦୁଅ ରାସ୍ତାରେ ଖଟିଆରେ ମୁଖ୍ୟ ରାସ୍ତାରୁ ଘରକୁ ଅଣାଯାଇଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାହିକୁ ସବୁଦିନିଆ ରାସ୍ତା ନଥିବାରୁ ବିଲରାସ୍ତାରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ସାହି ବାସୀ। ଖୋଦ ଖଣି ଖାଦାନରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ଗ୍ରାମାଞ୍ଚଳରେ ରାସ୍ତା ନଥିବାରୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଏହି ସାହିରେ ୧୦ ରୁ ଅଧିକ ପରିବାର ରହିଆସୁଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
