Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ସୁଷମା ସ୍ବରାଜ, ଶିଲା ଦୀକ୍ଷିତ, ଅତିସିଙ୍କ ପରେ ଚତୁର୍ଥ ମହିଳା ଭାବେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ବି ରେଖା ଗୁପ୍ତା ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ରହିଛନ୍ତି । ଶାଲିମାରବାଗ ସିଟରୁ ୩୦ହଜାରରୁ ଅଧିକ ମାର୍ଜିନରେ ଜିତିଥିବା ରେଖା ଗୁପ୍ତାଙ୍କ ଟ୍ୟାଗ ଲାଇନ ଥିଲା, କାମ ହିଁ ପରିଚୟ ।

ଆଉ ଦୀର୍ଘ ବର୍ଷର କାମ ପରେ ତାଙ୍କୁ ବଡ଼ ସୁଯୋଗ ଦେଇଛି ବିଜେପି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ କେଜ୍ରିଓ୍ବାଲଙ୍କୁ ହରାଇଥିବା ପରବେଶ ବର୍ମା, ଦିଲ୍ଲୀ ବିଜେପି ସାଧାରଣ ସଂପାଦକ ଆଶିଷ ସୁଦ୍, ପୂର୍ବତନ ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତାଙ୍କ ପରି ଅନେକ ବଡ ନେତାଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ରେଖାଙ୍କୁ ବାଛିଛି ବିଜେପି । ତେବେ ପ୍ରଶ୍ନ ଉଠୁଛି, ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିବା ପଛରେ କଣ ରହିଛି ବିଜେପିର ରଣନୀତି?ବୈଶ୍ୟ ଭୋଟବ୍ୟାଙ୍କ ମହିଳା କାର୍ଡରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଏକାସାଙ୍ଗରେ ଅନେକ ରାଜନୈତିକ ସମୀକରଣ କଷିଛି ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବୈଶ୍ୟ ହୋଇଥିବା ବେଳେ ତାଙ୍କ ଜାଗାରେ ବୈଶ୍ୟ ତଥା ହରିୟାଣାର ଜିନ୍ଦର ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ଫଳରେ ବିଜେପିର କୋର୍ ଭୋଟବ୍ୟାଙ୍କ କୁହାଯାଉଥିବା ବୈଶ୍ୟ ସମାଜ ବି ଦଳ ସହ ରହିବେ । ଏହାସହ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ସରକାରରେ ମହିଳାଙ୍କ ଭାଗିଦାରୀ ନେଇ ସ୍ପଷ୍ଟ ସନ୍ଦେଶ ଦେଇଛି ଦଳ । ଦେଶର ୧୩ଟି ରାଜ୍ୟରେ ବିଜେପି କ୍ଷମତାରେ ରହିଥିବା ବେଳେ ଏପର୍ଯ୍ୟନ୍ତ କେଉଁଠି ବି ମହିଳା ମୁଖ୍ୟମନ୍ତ୍ରୀ ନଥିଲେ । ଦିଲ୍ଲୀରେ ରେଖା ଗୁପ୍ତାଙ୍କ ପୂର୍ବରୁ ତିନି ଜଣ ମହିଳା ମୁଖ୍ୟମନ୍ତ୍ରୀ ରହିଥିଲେ । ଏହି ଧାରାକୁ ଆଗକୁ ବଢାଇଛି ବିଜେପି ।

ଫୋକସରେ ମହିଳା ଭୋଟରରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରି ନିର୍ବାଚନ ରାଜନୀତିରେ ମହିଳାଙ୍କ ପ୍ରତି ବିଜେପି ପ୍ରାଥମିକତା ଦେଖାଇବାକୁ ଉଦ୍ୟମ କରିଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପି ୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ସେମାନଙ୍କ ମଧ୍ୟରୁ ୪ଜଣ ଜିତିଛନ୍ତି । ଗତ ନିର୍ବାଚନରେ ଦିଲ୍ଲୀରେ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ମତଦାନ କରିଛନ୍ତି । ମହିଳାଙ୍କ ଭୋଟିଂ ପ୍ରତିଶତ ୬୦.୯୨ ରହିଥିଲା ତ ପୁରୁଷଙ୍କ ମତଦାନ ୬୦.୨୧ପ୍ରତିଶତ ରହିଥିଲା । ବିଜେପି ବିଜୟ ପଛରେ ମହିଳା ଭୋଟରଙ୍କ ବଡ଼ ଭୂମିକା ରହିଥିବା ବି କୁହାଯାଉଛି । ନିର୍ବାଚନ ପୂର୍ବରୁ ବି ଦଳ ମହିଳା ଭୋଟରଙ୍କୁ ମନାଇବାକୁ ଅନେକ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିଥିଲା। ଏବେ ଜଣେ ମହିଳାଙ୍କୁ ନେତୃତ୍ବ ଦେବା ପଛରେ ମହିଳା ଭୋଟକୁ ଫୋକସ୍ କରାଯାଇଥିବା କୁହାଯାଉଛି ।

ଦିଲ୍ଲୀରେ ନିର୍ବିବାଦୀୟ ନେତାରମେଶ ବିଧୁଡି ଓ ପରବେଶ ବର୍ମାଙ୍କ ଭଳି ନେତା ନିଜ ବିବାଦୀୟ ବୟାନକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ରେଖା ଗୁପ୍ତା ଦିଲ୍ଲୀ ବିଜେପିର ଜଣେ ନିର୍ବିବାଦୀୟ ନେତା। ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦିଲ୍ଲୀ ରାଜନୀତି ଇତିହାସରେ ନୂଆ ଅଧ୍ୟାୟ ଲେଖିଛି ବିଜେପି । ଗତ ୩୦ବର୍ଷ ଧରି ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ସଂପୃକ୍ତ ରହିଛନ୍ତି ରେଖା । ତେଣୁ ଦୀର୍ଘ ବର୍ଷ ଧରି ତୃଣମୂଳସ୍ତରରେ କାମ କରିଥିବା ନେତାଙ୍କୁ ପୁରସ୍କାର ଦେଇଛି ବିଜେପି । ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ବିରୋଧ ଓ ବିବାଦ ବି କମ୍ ରହିବ । ଏହାସହ ଜଣେ ମହିଳା ସିଏମ୍ ଭାବେ ସେ ସମସ୍ତଙ୍କୁ ସାଥୀରେ ନେଇ କାମ କରିବେ ।ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦୁର୍ନୀତିକୁ ନେଇ ସମାଲୋଚନା କରୁଥିବା ବିଜେପି, ସ୍ବଚ୍ଛ ଚେହେରା ଥିବା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛି। ଫଳରେ ବିରୋଧୀ ଆପ୍ ବିଜେପିକୁ କାଉଣ୍ଟର କରିବାର ସୁଯୋଗ ପାଇବନି । ଏହାସହ ଦଳୀୟ କର୍ମୀଙ୍କ ମଧ୍ୟରେ ରେଖାଙ୍କ ଲୋକପ୍ରିୟତା ରହିଛି । ପୂର୍ବରୁ ତୃଣମୂଳସ୍ତରର ନେତା ଭାବେ ଦେବେନ୍ଦ୍ର ଫଡନାବିସ ଓ ଯୋଗୀ ଆଦିତ୍ୟନାଥଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ବସାଇଥିବା ବେଳେ ସମାନ ମାନଦଣ୍ଡ ରେଖା ଗୁପ୍ତାଙ୍କ କ୍ଷେତ୍ରରେ ବି ଲାଗୁ କରିଛି ।

Leave a Reply

Your email address will not be published. Required fields are marked *