Spread the love

କୋଟିଆ ଓଡ଼ିଶାର ଥିଲା, ଅଛି ଓ ରହିବ: ବିଧାନସଭାରେ ଦୃଢ଼ୋକ୍ତି ପ୍ରକାଶ କଲେ ରାଜସ୍ୱ ମନ୍ତ୍ରୀ; ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ୱର, ୨୮ ନଭେମ୍ବର: କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, “କୋଟିଆ ଓଡ଼ିଶାର ଥିଲା, ଅଛି ଓ ଆଗକୁ ମଧ୍ୟ ରହିବ।” ରାଜ୍ୟର ଭୌଗୋଳିକ ଅଖଣ୍ଡତା ରକ୍ଷା ପାଇଁ ସରକାର କୌଣସି ସାଲିସ୍ କରିବେ ନାହିଁ ବୋଲି ସେ ଗୃହକୁ ଆଶ୍ୱାସନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୧୯୩୬ ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାଠାରୁ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅଂଶ ହୋଇ ରହିଆସିଛି। ଏହି ଗ୍ରାମପୁଞ୍ଜର ୨୧ଟି ଗ୍ରାମକୁ ନେଇ ଆନ୍ଧ୍ରପ୍ରଦେଶ ସହ ଦୀର୍ଘଦିନ ଧରି ବିବାଦ ଲାଗିରହିଛି।

୨୦୦୬ ମସିହାରେ ସୁପ୍ରିମକୋର୍ଟ ଏହି ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ ଗତ ଅକ୍ଟୋବର ୧୯ ତାରିଖରେ ବିଜ୍ଞପ୍ତି ଜାରି କରି ଡିସେମ୍ବର ୨ ସୁଦ୍ଧା କୋଟିଆ ଅଞ୍ଚଳରେ ପଞ୍ଚାୟତ, ମଣ୍ଡଳ ପ୍ରଜା ପରିଷଦ (MPTC) ଏବଂ ଜିଲ୍ଲା ପ୍ରଜା ପରିଷଦ (ZPTC) ନିର୍ବାଚନ କରାଇବାକୁ ପଦକ୍ଷେପ ନେଇଛି। ଏହାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଦର୍ଶାଇ ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅଦାଲତ ଅବମାନନା ମାମଲା (Diary No. 66727/2026) ଦାୟର କରିଛନ୍ତି।

ଅନ୍ୟପକ୍ଷରେ, କୋଟିଆର ଆଇନଗତ ଲଢ଼େଇ ସହ ଅଞ୍ଚଳର ସାମଗ୍ରିକ ବିକାଶ ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ନିୟମିତ ଭାବେ ସେଠାକାର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛି। ଗତ ଅକ୍ଟୋବର ୨୭ ତାରିଖରେ କମିଟିର ତୃତୀୟ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

କୋଟିଆବାସୀଙ୍କୁ ଘରବାଡ଼ି ପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଏବଂ ରାସନ କାର୍ଡ ଯୋଗାଇ ଦିଆଯାଉଛି। ଏଥିସହ ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ନିୟମିତ କୋଟିଆ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି।

କୋଟିଆର ଜଗନ୍ନାଥ ମନ୍ଦିରରେ ପୁରୀ ଶ୍ରୀମନ୍ଦିରର ଦର୍ପଦଳନ ରଥର ପବିତ୍ର ଚକ ସ୍ଥାପନ କରାଯାଇ ଓଡ଼ିଶାର ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରାଯାଇଛି।

କୋଟିଆକୁ ନେଇ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଆଇନଗତ ଲଢ଼େଇ ସହ ଅଞ୍ଚଳବାସୀଙ୍କ ବିକାଶ ଜାରି ରହିବ। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ କୋଟିଆର ସ୍ୱାର୍ଥ ରକ୍ଷା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

You missed