ଗ୍ରାମବାସୀଙ୍କ ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ
ତାଳଚେର,୧୯/୧୧ ନିଯୁକ୍ତି, ଥଇଥାନ, କ୍ଷତିପୂରଣ ଆଦି ୮ ଦଫା ଦାବୀ ନେଇ ତାଳଚେର ବ୍ଲକ କଳମଛୁଇଁ ଗ୍ରାମବାସୀଙ୍କ ପକ୍ଷରୁ ହୋଇଥିବା ଖଣି ବନ୍ଦ ଆନ୍ଦୋଳନ ବୁଧବାର ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ପରିସରରେ ଏକ ସମାଧାନୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରି, ତାଳଚେର ଏସ୍ଡ଼ିପିଓ ଭରତ ଚନ୍ଦ୍ର ସାହୁ, ଏମ୍ସିଏଲ୍ ମୁଖ୍ୟାଳୟର ବୈଷୟିକ ନିର୍ଦ୍ଦେଶକ ସଞ୍ଜୟ କୁମାର ଝା, ଏମ୍ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ସୁନୀଳ ଯୋଶୀଙ୍କ ସହ କଳମଛୁଇଁ ଗ୍ରାମବାସୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଉକ୍ତ ବୈଠକର ନିଷ୍ପତି ଅନୁଯାୟୀ କଳମଛୁଇଁ ଗ୍ରାମରେ ଥିବା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ସ୍ଥାନାନ୍ତରଣ କାର୍ଯ୍ୟକୁ ସ୍ଥଗିତ ରଖାଯିବା ସହ କଳମଛୁଇଁ ଗ୍ରାମଟି ସଂପୂର୍ଣ୍ଣ ବିସ୍ଥାପନ ନ ହେବା ପର୍ଯ୍ୟନ୍ତ ସ୍କୁଲ ପୂର୍ବସ୍ଥିତି ବଜାୟ ରହିବ ବୋଲି ଖଣି କର୍ତୃପକ୍ଷ ରାଜି ହୋଇଥିଲେ । ତାହାସହିତ କଳମଛୁଇଁ ଗ୍ରାମର ବିସ୍ଥାପିତ ପ୍ରଜାମାନଙ୍କୁ ପ୍ଲଟ ଯୋଗାଇ ଦେବା ସହ ଖୁବଶୀଘ୍ର ଜାଗା ଚିହ୍ନଟ କରିବାକୁ ନିଷ୍ପତି ହୋଇଥିଲା । ତାହାସହିତ ଗ୍ରାମବାସୀଙ୍କ ଅନ୍ୟାନ୍ୟ ଦାବୀଗୁଡ଼ିକ ଯଥାଶୀଘ୍ର ପୂରଣ କରିବାକୁ ଖଣି କର୍ତୃପକ୍ଷ ରାଜି ହୋଇଯିବାରୁ ଗ୍ରାମବାସୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ । ସୂଚନାଯୋଗ୍ୟ ଯେ ଆଠ ଦଫା ଦାବୀ ପୂରଣ ନେଇ କଳମଛୁଇଁ ଗ୍ରାମବାସୀଙ୍କ ପକ୍ଷରୁ ଗତ ଦୁଇ ଦିନ ଧରି ଏମ୍ସିଏଲ୍ ହିଙ୍ଗୁଳା ଓ ବଳରାମ କୋଇଲା ଖଣି ସହିତ ହିଙ୍ଗୁଳା ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଆଦିକୁ ବନ୍ଦ କରି ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା ।

