*ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା*
– *ପ୍ରାୟ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ବଣ୍ଟନ ଶେଷ ପର୍ଯ୍ୟାୟରେ*
ଭୁବନେଶ୍ୱର, ଅକ୍ଟୋବର ୧୫ :
ରାଜୀବ ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀବୃନ୍ଦ ଏବଂ ଜିଲ୍ଲାପାଳମାନଙ୍କ ସହ ବିସ୍ତୃତ ସମୀକ୍ଷା କରିଛନ୍ତି l
ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି, ଚଳିତବର୍ଷ ରାଜ୍ୟରେ ୧୨ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ୬ଟି ଅବପାତର ରୂପ ନେଇଥିଲା l ଏହା ପ୍ରଭାବରେ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲାରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି l ବାଲେଶ୍ୱର, ଭଦ୍ରକ, ଯାଜପୁର ସବୁଠୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାୟ ସମସ୍ତ ଜିଲ୍ଲା ଊଣାଅଧିକେ ପ୍ରଭାବିତ ହୋଇଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ କ୍ଷତିପୂରଣ ଆକାରରେ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ l କ୍ଷତିଗ୍ରସ୍ତ ଚାଷଜମି, ଫସଲ, ବାସଗୃହ, ବାସନକୁସନ, ଡଙ୍ଗା, ମାଛଧରା ଜାଲ ଆଦି ପାଇଁ କ୍ଷତିପୂରଣ ପ୍ରଦାନ କରାଯାଇଛି l
ରିଲିଫ୍ କ୍ୟାମ୍ପ ପରିଚାଳନା, ବାସଗୃହ ମରାମତି, କୃଷି ରିହାତି ଏବଂ ଅନ୍ୟାନ୍ୟ କ୍ଷତିପୂରଣ ବାବଦକୁ ସ୍ପେଶାଲ୍ ରିଲିଫ୍ କମିଶନରଙ୍କ ପକ୍ଷରୁ ୨୮୮ କୋଟି ୭୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା l ତେବେ ବିଭିନ୍ନ ଜିଲ୍ଲାରେ କେତେ ଦୂର କ୍ଷତିପୂରଣ ବଣ୍ଟନ ସମାପ୍ତ ହୋଇଛି ; ସେ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ବିସ୍ତୃତ ସମୀକ୍ଷା କରିଥିଲେ l ପ୍ରକାଶ ଥାଉ କି, ଅକ୍ଟୋବର ୧୦ ସୁଦ୍ଧା ପ୍ରଭାବିତଙ୍କ ନିକଟରେ କ୍ଷତିପୂରଣ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ପ୍ରାୟ ସମସ୍ତ ଜିଲ୍ଲାରେ ଇତିମଧ୍ୟରେ କ୍ଷତିପୂରଣ ବଣ୍ଟନ ସମାପ୍ତ ହୋଇଛି l ଆଉ ୭୨ ଘଣ୍ଟା ମଧ୍ୟରେ ବଳକା କ୍ଷତିପୂରଣ ରାଶି ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l
କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶକ୍ତି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଜଳସମ୍ପଦ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ଅନ୍ୟାନ୍ୟ ପ୍ରଭାବିତ ବିଭାଗମାନଙ୍କୁ ମଧ୍ଯ ବିଭିନ୍ନ ମରାମତି କାର୍ଯ୍ୟ ନିମନ୍ତେ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବିଭାଗ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି l
ଆଗାମୀ ଦିନରେ ଲଗାଣ ବୃଷ୍ଟିପାତଜନିତ ପ୍ରଭାବ ତଥା ସହରାଞ୍ଚଳ ବନ୍ୟା ପରିସ୍ଥିତିକୁ ହ୍ରାସ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ନେଇ ମାନ୍ୟବର ମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ସୂଚନା ଦେଇଛନ୍ତି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍ ଏନ୍, ପୌର ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଦିଲୀପ ରାଉତ ଏବଂ ଅନ୍ୟାନ ସମ୍ପୃକ୍ତ ବିଭାଗ ମାନଙ୍କର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ l
