### ଜୀବିକା ମିଶନକୁ ମିଳୁଛି ନୂଆ ଦିଶା, ଗ୍ରାମୀଣ ଲୋକଙ୍କୁ ସ୍ୱାବଲମ୍ବୀ କରୁଛି ଅନୁଗୋଳ ବନଖଣ୍ଡ
ମହୁମାଛି ପାଳନ ତାଲିମପ୍ରାପ୍ତଙ୍କୁ ପ୍ରମାଣପତ୍ର ବଣ୍ଟନ, ଭର୍ମିକମ୍ପୋଷ୍ଟ କାର୍ଯ୍ୟକ୍ରମର ସମୀକ୍ଷା
ଅନୁଗୋଳ: ଜଙ୍ଗଲ ସୁରକ୍ଷା ସହିତ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ସୁଦୃଢ଼ କରିବା ଦିଗରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଜାରି ରହିଛି ବିଭିନ୍ନ ସ୍ଥାୟୀ ଜୀବିକାଭିତ୍ତିକ ପଦକ୍ଷେପ। ଗ୍ରାମାଞ୍ଚଳର ଲୋକଙ୍କୁ ତାଲିମ ଓ ନୂତନ ଜୀବିକାର ସୁଯୋଗ ଯୋଗାଇ ଆର୍ଥିକ ସ୍ୱାବଲମ୍ବୀ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।
ଏହି ପରିପ୍ରେକ୍ଷୀରେ ଅନୁଗୋଳ ବନଖଣ୍ଡର ସମାଜବିଜ୍ଞାନୀ ଦଳ ଅନୁଗୋଳ ରେଞ୍ଜ ଅନ୍ତର୍ଗତ JSS କାର୍ଯ୍ୟାଳୟ, କମାର ସାହି ଗ୍ରାମ ଏବଂ ଟୁବେ VSS ପରିଦର୍ଶନ କରି ବିଭିନ୍ନ ଜୀବିକାଭିତ୍ତିକ କାର୍ଯ୍ୟକ୍ରମର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ।
ଏହି ଗସ୍ତ ସମୟରେ ମହୁମାଛି ପାଳନ ତାଲିମ ସମାପ୍ତ କରିଥିବା ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏଥିସହ ଗ୍ରାମାଞ୍ଚଳରେ ଜୈବିକ ସାର ଉତ୍ପାଦନ ଓ ଆୟ ବୃଦ୍ଧିର ଏକ ଉତ୍ତମ ମାଧ୍ୟମ ଭାବେ ଗ୍ରହଣ କରାଯାଉଥିବା ଭର୍ମିକମ୍ପୋଷ୍ଟ ପ୍ରକଳ୍ପ ଓ କିଟ୍ଗୁଡ଼ିକର ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯାଇଥିଲା।

ମହୁମାଛି ପାଳନ ଓ ଭର୍ମିକମ୍ପୋଷ୍ଟ ଭଳି ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକେ ନିଜ ଅଞ୍ଚଳରେ ରହି ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିପାରିବେ। ଏହାଦ୍ୱାରା ଦକ୍ଷତା ବିକାଶ ସହିତ ଆୟ ବୃଦ୍ଧି ଓ ଆର୍ଥିକ ସ୍ୱାଧୀନତାକୁ ମଧ୍ୟ ପ୍ରୋତ୍ସାହନ ମିଳିବ।
ପରିବେଶ ସୁରକ୍ଷା ସହ ସ୍ଥାନୀୟ ଜନସାଧାରଣଙ୍କ ଆର୍ଥିକ ବିକାଶକୁ ଗୁରୁତ୍ୱ ଦେଇ ଅନୁଗୋଳ ବନଖଣ୍ଡର ଏଭଳି ପଦକ୍ଷେପ ଗ୍ରାମୀଣ ସମୁଦାୟକୁ ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ କରିବାରେ ସହାୟକ ହେବ।
