*ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପ୍ରୋତ୍ସାହିତ ତାଳବାହାଲ ଟିମ୍ ବ୍ରହ୍ମପୁତ୍ର ଭଲିବଲ୍ ଲିଗ୍ରେ ରନର୍ସ-ଅପ୍*
ଅନୁଗୋଳ, ୦୬/୧୦/୨୦୨୬- ଆସାମର ଗୁଆହାଟୀଠାରେ ଆୟୋଜିତ ବ୍ରହ୍ମପୁତ୍ର ଭଲିବଲ୍ ଲିଗ୍ (ବିଭିଏଲ୍)ରେ ଅନୁଗୋଳ ଜିଲ୍ଲା ତାଳବାହାଲର ୧୬ ବର୍ଷରୁ କମ୍ ବାଳିକା ଟିମ୍ ରନର୍ସଅପ୍ ହୋଇଛି। ଗୁଆହାଟୀର ଜଜେସ୍ ଫିଲ୍ଡସ୍ଥିତ ଜିଭିସିସି ଗ୍ରାଉଣ୍ଡରେ ଆୟୋଜିତ ଏହି ପ୍ରତିଯୋଗିତାରେ ଟିମ୍ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥଲା। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍)ର ତୃଣମୂଳସ୍ତରର କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ନେଇଥିବା ଗ୍ରାମାଞ୍ଚଳର କ୍ରୀଡ଼ାବିତମାନଙ୍କ ଏହି ସଫଳତା ଫାଉଣ୍ଡେସନ୍ ପାଇଁ ଏକ ବଡ଼ ସଫଳତା।

ଡିସେମ୍ବର-୨୦୨୫ରେ କଳିଙ୍ଗ ଭଲିବଲ୍ ଡେଭଲପମେଣ୍ଟ କାଉନସିଲ୍ ଦ୍ୱାରା ଆୟୋଜିତ “କଳିଙ୍ଗ ଭଲିବଲ୍ ଲିଗ୍’ରେ ତାଳବାହାଲ ବାଳିକା ଦଳ ଅନୁଗୋଳ ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରି ଚାମ୍ପିଅନ୍ ହୋଇଥିଲା। ଏହି ବିଜୟ ଆଧାରରେ ଟିମ୍ ବ୍ରହ୍ମପୁତ୍ର ଭଲିବଲ୍ ଲିଗ୍ରେ ଖେଳିବା ପାଇଁ ମନୋନୀତ ହୋଇଥିଲା।
ଗୁଆହାଟୀରେ ଅନୁଷ୍ଠିତ ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ତାଳବାହାଲ ଟିମ୍ ନିଜର ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଜାମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ ଓ ମଣିପୁର ଦଳକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା। ଫାଇନାଲ୍ ମ୍ୟାଚ୍ରେ ତାଳବାହାଲ ଦଳ ଆସାମ ବିପକ୍ଷରେ ମ୍ୟାଚ୍ ଖେଳି ୧-୩ ଗୋଲ୍ରେ ପରାଜିତ ହୋଇ ରନର୍ସ-ଅପ୍ ହୋଇଥିଲା।
ଏହି ଦଳରେ ରୋଜାଲିନ୍ ନାୟକ, ବିଷ୍ଣୁପ୍ରିୟା ରାଉଳ, ସୌମ୍ୟା ସନ୍ଦୀପା ଗଡ଼ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ମିକି ନାୟକ, ରିଙ୍କି ସାହୁ, ମିରାଲି ନାୟକ, ରୂପାଲି ନାୟକ, ସ୍ୱର୍ଣ୍ଣପ୍ରଭା ନାୟକ, ଶିବାନୀ ନାୟକ, ଶ୍ରାବଣୀ ନାୟକ ଓ ସାୟାନୀ ନାୟକ ସାମିଲ ଥିଲେ।
ବ୍ରହ୍ମପୁତ୍ର ଭଲିବଲ୍ ଲିଗ୍ ଏବଂ ଦାନୀ ସ୍ପୋର୍ଟସ୍ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଲିଗ୍ରେ ଆସାମ, ଜାମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ମଣିପୁର ଏବଂ ଓଡ଼ିଶା ଟିମ୍ ଭାଗ ନେଇଥିଲେ।
ଟିମ୍ର ଏହି ବିଜୟ, ଢେଙ୍କାନାଳ ଓ ଅନୁଗୋଳ ଅଞ୍ଚଳର ଉଦୀୟମାନ କ୍ରୀଡ଼ାବିତ୍ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇଦେବାରେ ଟିଏସ୍ଏଫ୍ର ନିରନ୍ତର ପ୍ରଚେଷ୍ଟା ଓ ତୃଣମୂଳସ୍ତରର କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମର ସଫଳତାକୁ ସୂଚାଉଛି।
