Spread the love

ନାବାଳିକାଙ୍କୁ ଅପହରଣ ପରେ ବଳପୂର୍ବକ ବିବାହ ଅଭିଯୋଗ, ଝିଅର ସୁରକ୍ଷା ଓ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ବାପା-ମାଆ

ଢେଙ୍କାନାଳ: ନାବାଳିକା ଝିଅକୁ ଅପହରଣ, ବଳପୂର୍ବକ ବିବାହ ଏବଂ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ନିଜ ଝିଅର ସୁରକ୍ଷା, ନ୍ୟାୟ, ଶିକ୍ଷା ଓ ସମ୍ମାନର ସୁରକ୍ଷା ଦାବି କରି ମଙ୍ଗଳବାର (୩ ନଭେମ୍ବର ୨୦୨୬) ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ପଥରଗଡ଼ା ଗ୍ରାମର ଓମପ୍ରକାଶ ନାଏକ ଓ ତାଙ୍କ ପତ୍ନୀ ବବିନା ନାଏକ।

ଅଭିଯୋଗ ଅନୁଯାୟୀ, ଗତ ୨ ଫେବୃଆରୀ ୨୦୨୬ରେ ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ସମୟରେ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ଏକ କାର୍‌ରେ ବଳପୂର୍ବକ ଉଠାଇ ନେଇଥିଲେ। ପରେ ପପୁ ନାଏକଙ୍କ ସହ ଗ୍ରାମର ବୁଢ଼ୀଦେଇ ଠାକୁରାଣୀ ମନ୍ଦିରରେ ତାଙ୍କର ବିବାହ କରାଇ ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଏପରିକି ମନ୍ଦିର ମଣ୍ଡପରେ ସାହି ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ପ୍ରାୟ ୨୦ରୁ ୨୫ ଜଣ ଗ୍ରାମବାସୀ ମିଶି ଏକ କଙ୍ଗାରୁ କୋର୍ଟ କରିଥିଲେ। ନାବାଳିକା ଓ ତାଙ୍କ ପରିବାରକୁ ବିବାହ ପାଇଁ ରାଜି କରାଇବା ସହ ରାଜି ନହେଲେ ଗ୍ରାମରୁ ବାହାର କରିଦେବା ଏବଂ ଜୀବନରେ ମାରିଦେବା ଭଳି ଧମକ ଦିଆଯାଇଥିବା ଅଭିଯୋଗ ରହିଛି। ଜଣେ ଆଶାକର୍ମୀ ଓ ତାଙ୍କ ସ୍ୱାମୀ ନାବାଳିକାଙ୍କ ଅଭିଭାବକ ସାଜି ଏହି ବିବାହ କରାଇଥିବା ମଧ୍ୟ ପରିବାର ଅଭିଯୋଗ କରିଛି।

ପରିବାରର ଅଭିଯୋଗ ଅନୁସାରେ, ବିବାହ ପରେ ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ବାରମ୍ବାର ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇଥିଲା। ଏଥିଯୋଗୁଁ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିବା ବେଳେ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଦୋକାନରୁ ଔଷଧ ଆଣି ଖାଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହା ସହ ଯୌତୁକ ବାବଦରେ ଏକ ଲକ୍ଷ ଟଙ୍କା, ସୁନା ଚେନ୍‌, ସୁନା ମୁଦି ଓ ବାସନକୁସନ ଦାବି କରାଯାଇଥିଲା। ଏସବୁ ଦେବାକୁ ଅସମର୍ଥ ହେବାରୁ ନାବାଳିକାଙ୍କ ବାପାଙ୍କ ଘରଡିହ ଜମି ଦେବାକୁ ଚାପ ପକାଯାଇଥିଲା। ଏଥିସହ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବାରୁ ଜୀବନ ବଞ୍ଚାଇବା ପାଇଁ ନାବାଳିକା ଜଣକ ଘର ଛାଡ଼ି ପଳାଇଥିବା ପରିବାର କହିଛି।

ଝିଅକୁ ଖୋଜାଖୋଜି କରି ନପାଇବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। କିନ୍ତୁ ମାମଲା ରୁଜୁ ହେବା ପରେ ତଦନ୍ତରେ ଆଶାନୁରୂପ ଅଗ୍ରଗତି ହୋଇନଥିବା ଏବଂ ଅଭିଯୁକ୍ତମାନେ ମାମଲା ଉଠାଇ ନେବାକୁ ଚାପ ପକାଇବା ସହ ପରିବାରକୁ ବିଭିନ୍ନ ଭାବେ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସାହିବାସୀ ଏକଘରିକିଆ କରି ରଖିଥିବାରୁ ପରିବାର ଭୟଭୀତ ଅବସ୍ଥାରେ ଜୀବନ ବିତାଉଥିବା ଦର୍ଶାଇଛନ୍ତି।

ତେବେ ଗତକାଲି ନାବାଳିକାଙ୍କୁ ଠାବ କରିବା ପରେ ତାଙ୍କର ସୁରକ୍ଷା ଓ ନ୍ୟାୟ ପାଇଁ ପରିବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ପହଞ୍ଚିଛନ୍ତି। ନାବାଳିକାଙ୍କ ତୁରନ୍ତ ଡାକ୍ତରୀ ପରୀକ୍ଷା, ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଆଇନ ଅନୁଯାୟୀ ବୟାନ ରେକର୍ଡ ଏବଂ ଅଭିଯୋଗରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ଓ ଗିରଫଦାରୀ ପାଇଁ ନିବେଦନ କରିଛନ୍ତି।

ଏଥିସହ ଶିଶୁ ସୁରକ୍ଷା ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନେ ଏପର୍ଯ୍ୟନ୍ତ ନିରବ ରହିଥିବା ନେଇ ମଧ୍ୟ ପରିବାର ଅସନ୍ତୋଷ ପ୍ରକାଶ କରିଛି। ବିଭିନ୍ନ ସ୍ତରରୁ ନ୍ୟାୟ ନମିଳିବା ପରେ ଏବେ ଏସ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପୀଡ଼ିତାଙ୍କ ପରିବାର। ଏହି ଘଟଣାରେ ପୁଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *