Spread the love

### ପ୍ରଥମ ବିଜୟ ଲକ୍ଷ୍ୟରେ ଇଣ୍ଟର କାଶୀ ଓ ଓଡ଼ିଶା ଏଫ୍‌ସି, ଶନିବାର ହେବ କଡ଼ା ମୁକାବିଲା

ପୁଣେ, ୧୬ ଅକ୍ଟୋବର: ଏମ୍‌ଜି ଇଣ୍ଡିଆନ୍ ସୁପର ଲିଗ୍‌ (ISL) ୨୦୨୬-୨୭ରେ ପ୍ରଥମ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ଶନିବାର ପଡ଼ିଆକୁ ଓହ୍ଲାଇବେ ଇଣ୍ଟର କାଶୀ ଏଫ୍‌ସି ଓ ଓଡ଼ିଶା ଏଫ୍‌ସି। ପୁଣେର ବାଲେୱାଡି ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ମୁକାବିଲାରେ ଉଭୟ ଦଳ ଚଳିତ ସିଜିନ୍‌ର ପ୍ରଥମ ବିଜୟ ହାସଲ କରିବାକୁ ଉଦ୍ୟମ କରିବେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଣ୍ଟର କାଶୀ ୦-୨ ଗୋଲ୍‌ରେ କେରଳ ବ୍ଲାଷ୍ଟର୍ସଠାରୁ ପରାସ୍ତ ହୋଇଥିବାବେଳେ ଓଡ଼ିଶା ଏଫ୍‌ସି ୧-୨ ଗୋଲ୍‌ରେ ପଞ୍ଜାବ ଏଫ୍‌ସିଠାରୁ ହାରିଥିଲା।

### ପ୍ରଥମ ବିଜୟ ପାଇଁ ଇଣ୍ଟର କାଶୀର ପ୍ରସ୍ତୁତି

କେରଳ ବ୍ଲାଷ୍ଟର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଇଣ୍ଟର କାଶୀ ଆକ୍ରମଣାତ୍ମକ ଖେଳର କିଛି ଝଲକ ଦେଖାଇଥିଲା। ରୋଜେନବର୍ଗ ଗାବ୍ରିଏଲ୍‌ ଓ ମନବୀର ସିଂହ ପ୍ରତିପକ୍ଷ ଗୋଲ୍‌ପୋଷ୍ଟ ନିକଟରେ ଭଲ ପ୍ରୟାସ କରିଥିଲେ। କିନ୍ତୁ ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ବିବିନ୍‌ ମୋହନନ୍‌ ଗୋଲ୍‌ ଦେଇ କେରଳକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ୍‌ର ଇଞ୍ଜୁରି ଟାଇମ୍‌ରେ ଆନ୍ଦ୍ରେ ଗ୍ରୀନ୍‌ ଆଉ ଏକ ଗୋଲ୍‌ ଦେଇ କେରଳର ବିଜୟ ସୁନିଶ୍ଚିତ କରିଥିଲେ।

ଇଣ୍ଟର କାଶୀର ମୁଖ୍ୟ ପ୍ରଶିକ୍ଷକ କାର୍ଲୋସ୍‌ ଭାଜ୍‌ ପିଣ୍ଟୋ ଓଡ଼ିଶା ଏଫ୍‌ସିର ଖେଳାଳିଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହ ନିଜ ଦଳର ପ୍ରସ୍ତୁତି ନେଇ ଆଶାବାଦୀ ଅଛନ୍ତି। ସେ କହିଛନ୍ତି, “ଆମେ ମୁକାବିଲା ପାଇଁ ପ୍ରସ୍ତୁତ ଏବଂ ତିନି ପଏଣ୍ଟ ହାସଲ କରିବା ଆମର ଲକ୍ଷ୍ୟ।” ଅଳ୍ପ ସମୟ ମଧ୍ୟରେ ଖେଳାଳିମାନେ ତାଙ୍କ ଆକ୍ରମଣାତ୍ମକ ଓ ରକ୍ଷଣାତ୍ମକ ରଣନୀତିକୁ ବୁଝିବାରେ ଉନ୍ନତି କରିଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ, ପୂର୍ବରୁ ଓଡ଼ିଶା ଏଫ୍‌ସି ପାଇଁ ଖେଳିଥିବା ମିଡ୍‌ଫିଲ୍ଡର ହିତେଶ ଶର୍ମା ଏବେ ଇଣ୍ଟର କାଶୀରେ ନିଜର ନୂଆ ଭୂମିକା ସହ ଖାପ ଖୁଆଇବାକୁ ଉଦ୍ୟମ କରୁଛନ୍ତି। ପଡ଼ିଆରେ ‘୯.୫’ ପୋଜିସନ୍‌ରେ ଖେଳିବା ତାଙ୍କ ପାଇଁ ନୂଆ ଅନୁଭୂତି ବୋଲି ସେ କହିଛନ୍ତି। ଏହି ନୂଆ ଭୂମିକାକୁ ଶିଖିବା ସହ ସେ ଏହାକୁ ଉପଭୋଗ କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି।

### ପ୍ରତ୍ୟାବର୍ତ୍ତନ ସହ ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଅନ୍ୟପଟେ, ଉଦ୍‌ଘାଟନୀ ମ୍ୟାଚ୍‌ର ପରାଜୟକୁ ଭୁଲି ନୂଆ ଆଶା ନେଇ ପଡ଼ିଆକୁ ଓହ୍ଲାଇବ ଓଡ଼ିଶା ଏଫ୍‌ସି। ଟିଜି ପୁରୁଷୋତ୍ତମନ୍‌ଙ୍କ ପ୍ରଶିକ୍ଷଣାଧୀନ ଦଳ ପଞ୍ଜାବ ଏଫ୍‌ସି ବିପକ୍ଷରେ ମ୍ୟାଚ୍‌ ଆରମ୍ଭର ପ୍ରଥମ ମିନିଟ୍‌ରେ ଗୋଲ୍‌ ବରଣ କରିଥିଲା। ତେବେ ୧୫ତମ ମିନିଟ୍‌ରେ ଥୋଇବା ମୋଇରାଙ୍ଗଥେମ୍‌ କର୍ଣ୍ଣରରୁ ଆସିଥିବା ବଲ୍‌କୁ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରି ଦଳକୁ ସମାନ ସ୍ଥିତିକୁ ଫେରାଇଥିଲେ।

ମ୍ୟାଚ୍‌ର ଅଧିକାଂଶ ସମୟ ଓଡ଼ିଶା ଏଫ୍‌ସି ଲଢ଼େଇରେ ରହିଥିଲେ ମଧ୍ୟ ଇଞ୍ଜୁରି ଟାଇମ୍‌ର ପଞ୍ଚମ ମିନିଟ୍‌ରେ ରାଫାଏଲ୍‌ ମେସି ବୁଲି ଗୋଲ୍‌ ଦେଇ ପଞ୍ଜାବକୁ ୨-୧ରେ ବିଜୟୀ କରାଇଥିଲେ।

ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ପୁରୁଷୋତ୍ତମନ୍‌ ଚଳିତ ସିଜିନ୍‌ରେ ଦଳର ପ୍ରଦର୍ଶନକୁ ନେଇ ଦୃଢ଼ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଆମକୁ ଶୀର୍ଷ ସ୍ଥାନ ପାଇଁ ଲଢ଼ିବାକୁ ହେବ, ଗତ ବର୍ଷ ଭଳି ନୁହେଁ।” ନୂଆ ଖେଳାଳିଙ୍କୁ ନେଇ ଗଠିତ ଦଳ ମଧ୍ୟରେ ସମନ୍ୱୟ ସୃଷ୍ଟି ହେବାକୁ ସମୟ ଲାଗିବ ଏବଂ ଖେଳାଳିମାନେ ପରସ୍ପର ସହ ଖାପ ଖୁଆଇବା ପାଇଁ ଦୁଇରୁ ତିନିଟି ମ୍ୟାଚ୍‌ ଆବଶ୍ୟକ ହୋଇପାରେ ବୋଲି ସେ ମତ ଦେଇଛନ୍ତି।

ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ନୂଆ ସିଜିନ୍‌ରେ ନିଜର ସ୍ଥିତି ସୁଧାରିବାର ଏକ ସୁଯୋଗ। ଇଣ୍ଟର କାଶୀ ନିଜର ଆକ୍ରମଣାତ୍ମକ ଖେଳକୁ ଗୋଲ୍‌ରେ ପରିଣତ କରିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଓଡ଼ିଶା ଏଫ୍‌ସି ଖେଳ ଉପରେ ନିୟନ୍ତ୍ରଣକୁ ବଜାୟ ରଖିବା ସହ ଗୋଲ୍‌ ସୁଯୋଗର ସଠିକ୍‌ ଉପଯୋଗ କରି ପ୍ରଥମ ପଏଣ୍ଟ ହାସଲ କରିବାକୁ ଚାହିଁବ।

ମ୍ୟାଚ୍‌ ସୂଚନା: ଅକ୍ଟୋବର ୧୭, ଶନିବାର। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୫ଟାରେ ପୁଣେର ବାଲେୱାଡି ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *